ହତ୍ୟା
ହତ୍ୟା
ପଲ୍ଲୀ ଠାରୁ ଦିଲ୍ଲୀ ଯୋଉଠି ଦେଖିବ
ସବୁଠି ରକତ ଛିଟା
ବଢ଼ି ବଢ଼ି ଚାଲେ ଅପରାଧୀ ସଂଖ୍ୟା
ବଢ଼ି ଚାଲେ ନର ହତ୍ୟା ।
କାମ କ୍ରୋଧ ଲୋଭ ମଦ ଓ ମାତ୍ସର୍ଯ୍ୟ
ଷଡ଼ରିପୁ ହଳାହଳ
ମଣିଷ ଭିତରେ କଲେଣି ରାଜୁତି
ସର୍ବେ ହୋଇ ଏକମେଳ ।
କାମନା ନିଆଁ ରେ କାମିନୀ କାଞ୍ଚନ
ଜଳେ ତା ଜିଅନ୍ତା ଜୁଇ
ପ୍ରେମ ପ୍ରତାରଣା କରେ ବାଟବଣା
ହତ୍ୟା ବିଭୀଷିକା ପାଇଁ ।
କ୍ରୋଧେ ଜର୍ଜରିତ ହୋଇଲେ ମଣିଷ
ଭୁଲେ ହିତାହିତ ଜ୍ଞାନ
ଭୁଲେ ନିଜ ସତ୍ତା ବିବେକ ର ବାର୍ତ୍ତା
ଆତ୍ମୀୟ ସ୍ୱଜନ ଗୁଣ ।
ଅଣ୍ଟି ଛୁରୀ ପୁଣି ତଣ୍ଟି କାଟେ ଏଠି
ଲୋଭ ବଶବର୍ତ୍ତୀ ହୋଇ
ରକତ ର ମୂଲ ଭୂଲି ପିଏ ରକ୍ତ
ହେଇ ଅବା ବାପ ଭାଇ ।
କ୍ଷମତା ର ମୋହ ଅନ୍ଧ କରେ ଏଠି
ରକ୍ଷକ ଭକ୍ଷକ ସାଜେ
ବାଡ ଖାଇଯାଏ ଫସଲ କୁ ଖୁଣ୍ଟି
ଆଇନ୍ ବି ଆଖି ବୁଜେ ।
ରାଜ ରାସ୍ତା କଡେ ମଦ କାଉଣ୍ଟର
ନେତାଏ ପାଇବେ ଅଂଶ
ସେଇ ନିଶାପାଣି ସାଜେ ହତ୍ୟାକାରୀ
ବୁଡ଼ି ଯାଏ କେତେ ବଂଶ ।
ସୁଖ ସମ୍ବୋଗ କୁ ମନ ବଳେ ସିନା
ଅଣ୍ଟେ ନାହିଁ ଅରଜନ
ଛୁରୀ ଭୁଜାଲି ରେ ହତ୍ୟା କାରନାମା
ଲୁଟିବାକୁ ପରଧନ ।
ହାୟ ରେ ମଣିଷ ହେଲୁ ଅମଣିଷ
ତୁ କୁଆଡେ ଶ୍ରେଷ୍ଠ ଜୀବ
ନିଜ ପାଇଁ ନିଜେ ଗାତ ତୁ ଖୋଳୁଛୁ
ଭୋଗିବାକୁ ପରାଭବ ।
ଆଇନ୍ କୁ ସିନା ମାରୁ ଆଖିଠାର
ଦେଖୁଛି ଉପର ବାଲା
କର୍ମ ଗୁଣି ଫଳ ଦେବ ସେ ନିଶ୍ଚୟ
ଭାଗ୍ୟ ରେ ପକାଇ ତାଲା ।
