ହସରୁ ବି ଜ୍ୟୋତ୍ସ୍ନା ଝରେ
ହସରୁ ବି ଜ୍ୟୋତ୍ସ୍ନା ଝରେ
ଏମିତିକା ତୁମେ ମନୋଇ ଝିଅ ଲୋ
ହୋଇଯାଅ ଯେବେ ଖୁସି
ଆନନ୍ଦ ମନରେ ଗୀତ ପଦେ ଗାଇ
ଦେଉଥାଅ ଟିକେ ହସି I
ହସରେ ତୁମର ଚହଲେ ଶ୍ରାବଣ
ଜହ୍ନରୁ ଜୋଛନା ଝରେ
ତୁମେ ଖୁସିଥିଲେ ମନ ଅଗଣାରେ
ଶେଫାଳୀ ମହକ ଢାଳେ I
ତୁମେ ଖୁସିଥିଲେ ଆକାଶ ବୁକୁରେ
ଫୁଟିଯାଏ ତାରା ଫୁଲ
ଭଲ ପାଇବାର ଅଗାଧ ସମୁଦ୍ର
ଆନନ୍ଦରେ ଛୁଏଁ କୂଳ I
ତୁମରି ଖୁସିର ଝଲକ ଦେଖିଲେ
ମନୁ ହଜେ ଅଭିମାନ
ବେସୁରା ଗୀତିରେ ସ୍ୱର ଖଞ୍ଜିଦିଏ
ପ୍ରଣୟ ବିଭୋର ପ୍ରାଣ I
ଜାଣିନ କି ସଖୀ ତୁମ ଖୁସି ଦେଖୀ
ଫୁଲପୁଟେ ନାନା ଜାତି
ତୁମରି ଖୁସିରେ ଖୁସି ହେବା ପାଇଁ
ଚାହିଁଥାଏ ପ୍ରଜାପତି I
ତୁମରି ହସରେ ହସେ ମୋ ଦୁନିଆ
ହସିଉଠେ ମୋର ମନ
ତୁମ ହସ ଦେଖି ଖୁସିରେ ଆକାଶୁ
ଝରେ ଧାରା ଶିରାବଣ I