ହୃଦୟର ସ୍ପନ୍ଦନ
ହୃଦୟର ସ୍ପନ୍ଦନ
ମୋ ସପନ କୁଞ୍ଜରେ ପିକ ଭଳି
ଗାଉ ଥିଲା ମଧୁ ଗୀତି
ତୁମେ ମୋ ଫୁଲ ଫଗୁଣର ମହୁଆ
ମହକ ତନୁରେ ଭରିଥିଲ ପ୍ରୀତି ।
ବ୍ୟାକୁଳ ନୟନେ, ସ୍ପନ୍ଦନେ ବ୍ୟଥା
ଭୋଗିଛେ ଝୁରୁଥିଲେ ମନେ
ଲୁଚିଗଲ ହେ ମୋର ମାନସ ପୁରୁଷ
ଖୋଜୁଥିଲି ମୁଁ ପ୍ରତିକ୍ଷଣେ ।
କର୍ତ୍ତବ୍ୟର ପଥେ ହେଲ ଅଗ୍ରସର
ବୁଝି ସମୟର ମୂଲ୍ୟ
ଅପେକ୍ଷା ନ କରେ ସମୟ କାହାକୁ
ଦୂରତାରେ ରହିଲ କୃଷ୍ନ ସମ ତୁଲ୍ୟ ।
ହେ ବିପ୍ଳବୀ, ଜଗତର ହିତେ କର୍ମ କରି
ଚାଲିଲ ମନେ ରହିଲା ଆସି
ନିଜ ସ୍ବାର୍ଥ ତେଜି, ଦେଶ ପାଇଁ ଲାଗିଛ
ତୁମେ ଅହ ରହ ଦିବା ନିଶି ।
ବିବେକୀ ମଣିଷ ହିସାବରେ ଅନୁଭବ
କର ସମୟର କେତେ ଦାନ
ନିସ୍ବାର୍ଥେ ବନ୍ଧା ତୁମର ମନ ପ୍ରାଣ ସେଥି
ପାଇଁ ମୁଁ ଭାବେ ଭାଗ୍ୟବାନ ।
ତୁମରି ପ୍ରତୀକ୍ଷାରେ ବସିଛି ସେମିତି, ତୁମ
ଆସିବା ଦିଗନ୍ତକୁ ଚାହିଁ
ମୁଁ ଜାଣିଛି ଭଲ ଭାବେ ତୁମେ ଆସିବ ଦିନେ
ମୋ ମନକୁ ମହକାଇବା ପାଇଁ ।
ସୁଖ ଦୁଃଖ ହେବା, ଦୂର କରିବା
ଲମ୍ବିଥିବା ଶୂନ୍ୟତାକୁ
ସମୟ ସରିଯିବା ପୂର୍ବରୁ ପୂର୍ଣ କରିବା
ଛୋଟ ଆଶାକୁ ।
ଅବ୍ୟକ୍ତ ଯନ୍ତ୍ରଣା ଆମେ ଭୋଗିଛେ,
ହୃଦୟରେ ଅପେକ୍ଷାରେ
ଶେଷ ଇଚ୍ଛା, ଚାଲ ଏକ ହେବା, ତୃପ୍ତ
ହସ ଆଣିବା ଓଠରେ ।
ପିଲା ଦିନେ ଥିଲା ତ ଏହା ଖେଳ,
ଗଢି ଥିଲେ ବାଲି ଘର
ବହୁ ସମୟ ଅପେକ୍ଷା କଲେ, ଚାଲ
କରି ନେବା ସ୍ଵୀକାର ।