ହୃଦୟର ଗୀତି
ହୃଦୟର ଗୀତି
ହସିବା କେବେଠୁ
ଭୁଲି ମୁଁ ଯାଇଛି
ତଥାପି ହସୁଛି ମିଛେ
ଲୁହକୁ କରିଛି
ଆଖିର ଗହଣା
ପଲକ ପରଦା ପଛେ.
ଗାଇବା କେବେଠୁ
ଛାଡି ମୁଁ ଦେଇଛି
ସାତ ସୂରେ ଛନ୍ଦ ତୋଳି
କୋହକୁ କରିଛି
ହୃଦୟ କୁସୁମ
ଲାଲୀମାର ରଙ୍ଗ ବୋଳି.
ଲେଖିବା କେବେଠୁ
ଭୁଲି ମୁଁ ଗଲିଣି
ଶବ୍ଦର ଫୁଲକୁ ଗୁନ୍ଥି
ଭାବିବା ଭୁଲିଛି
ଆକାଶ କୁ ଚାହିଁ
ସଜାଇ ସପନ ପେନ୍ଥି.
ଜିଇଁ ବାର ଲୋଭ
ଛାଡି ମୁଁ ଦେଇଛି
ଅନୁରାଗେ ବନ୍ଧା ହୋଇ
ହଜିବା କେବେଠୁ
ପାଶୋରି ଦେଇଛି
ରାତିର ପଣତ ଡେଇଁ.
ଜୀବନ ମୋ ପାଇଁ
ଅଭିଶାପ ଘେରା
ଦୀର୍ଘ ପାଚେରୀ ଟିଏ
ପ୍ରତିଟି ମୁହୂର୍ତ୍ତ
ସତର୍କ ଚାହାଣି
ମୋ ହସକୁ ଜଗିଥାଏ.
