ହୃଦୟ ଖୋଜୁଛି ପବିତ୍ରତା
ହୃଦୟ ଖୋଜୁଛି ପବିତ୍ରତା
ବନ ପାହାଡ଼ରେ ଜଳୁଥିବା ନିଆଁ
ଦୂରରୁ ଦିଶେ ଆଖିକୁ
ହୃଦୟ ଜଳିଲେ ଦିକି ସିକି ହୋଇ
ଦିଶିବନି କାହାରିକୁ ।
ବିଷୟ ଜଞ୍ଜାଳ ଅନ୍ୟାୟ ଅକର୍ମ
ପାପ ତାପ କଳମଷ
ହୃଦୟକୁ କରେ ବିଦୀର୍ଣ ଅଥୟ
ଉଦଗାରଇ ଅଗ୍ନି ବିଷ ।
ପରିବେଶ ହେଲେ ସବୁଜ ସୁନ୍ଦର
ଜୀବନ ହୁଏ ସ୍ୱଚ୍ଛନ୍ଦ
ପ୍ରସ୍ଫୁଟିତ ହୁଏ ଶାନ୍ତି ଶତଦଳ
ସ୍ନେହ ଶ୍ରଦ୍ଧା ସୁଧା ପ୍ରେମ ।
ହସି ଉଠେ ପ୍ରାଣ ଉଲ୍ଲାସ ଆନନ୍ଦେ
ଉଛୁଳେ ସ୍ୱର ମଧୁର
ଆମ୍ର ତୋଟା ମାଳେ ମହକେ ବଉଳ
ଶୁଭେ କୋକିଳର ସ୍ୱର ।
ବରଷଇ ମେଘ ଆସଇ ବସନ୍ତ
ବହେ ଅମୃତର ଧାରା
ନଦୀ ଓ ନିର୍ଝର ପ୍ରବହେ ସ୍ୱସ୍ତିକେ
ବିମଳ ହୁଅଇ ଧରା ।
ସ୍ୱ।ର୍ଥର ଅନଳ ଦାବାନଳ ପ୍ରାୟ
ଯାଉଅଛି ଘୋଟି ବ୍ୟାପି
ପ୍ରଦୂଷିତ ଏବେ ପଞ୍ଚ ମହାଭୂତ
ହୃଦୟ ହୁଏ ସନ୍ତାପି ।
ଅତି ଆଧୁନିକ ବିଜ୍ଞାନୀ ମଣିଷ
ହରାଇ ବିବେକ ବୁଦ୍ଧି
ବସିଛି ଯେ ଡାଳେ ହାଣିଦିଏ ମୂଳ
ମୂର୍ଖ କାଳିଦାସ ପରି ।
ବିନା ପରିଶ୍ରମରେ ଅସାଧୁ ଉପାୟେ
ଅରଜୁଛି କଳାଧନ
ପର ତଣ୍ଟି ଚିପି ଦେବସ୍ୱ ପରସ୍ୱ
କରୁଛି ଅପହରଣ ।
ଚରିତ୍ର ଗଠନ ଉତ୍ତମ ସ୍ୱଭାବ
ଆଦର୍ଶ ନୈତିକ ଶିକ୍ଷା
ଦୁର୍ଲଭ ସପନ ମଣିଷ ଜୀବନେ
ବ୍ୟବସ୍ଥାରେ ବିଷମତା ।
ହୃଦ ସରୋବରେ ଅନାବନା ଦଳ
ମାଡ଼ିଯାଏ କଳା ଛାଇ
ଫୁଟିବ କେମିତି ଉତ୍କର୍ଷେ ଉତ୍ପଳ
ସ୍ୱପ୍ନମୟୀ ନୀଳ କଇଁ ।
ହୃଦୟ ଖୋଜୁଛି ପବିତ୍ରତା ଯତ୍ନ
ସତ କର୍ମ ପୁର୍ନୋଦ୍ଧାର
ବିକଶୁ ନୀଳିମା ପ୍ରଶାନ୍ତ କମଳ
ବହୁ ଶାନ୍ତି ସୁଧା ନୀର ।