ହୃଦୟ ବିଚ୍ଛେଦ
ହୃଦୟ ବିଚ୍ଛେଦ
ଆଜି କ୍ଲାନ୍ତ ଏହି ହାଡ଼ ମାଂସରେ ଗଢ଼ା ଶରୀର,
ଯୁଝି ଯୁଝି କେତେ ଚାଲିବ ଭାବି ମନ ହୁଏ ଅସ୍ଥିର |
ପାଇଛି ଜୀବନ ସିନା, ନୁହେଁ ସିଏ ଶାନ୍ତ ନଦୀର ଧାର,
ନୁହେଁ ସିଏ ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତର ଶୁଷ୍କ ଏକ ମରୁଭୂମିର |
ନୁହେଁ ସିଏ ସୁନ୍ଦର ସୁଗନ୍ଧିତ ଶଯ୍ୟା ରଙ୍ଗ ବେରଙ୍ଗ ପୁଷ୍ପଙ୍କର,
ନୁହେଁ ସିଏ କେଉଁ ଅବା ବେଳାଭୂମି ଅନନ୍ତ ସୁନୀଳ ସାଗରର |
ଜନ୍ମରୁ ମୃତ୍ୟୁ ଅଟେ ଏକ ନିର୍ଦ୍ଧାରିତ ସୀମାରେଖା କିଛି ସମୟର,
ବଢି ବଢି ଚାଲିବାକୁ ହୁଏ ପାଇ ଆଲୋକ କିରଣ ଆଶାର |
ସେଇ ଆଶା ବାନ୍ଧଇ ମନେ କାମନାର ବସା କେତେ ସ୍ୱପ୍ନର,
ଯୁଝିବାକୁ ହୁଏ ସେଥିପାଇଁ ଦୁଃଖ ଯନ୍ତ୍ରଣା ସହ ଏଠି ବାରମ୍ବାର |
ଖାଲି ଦୁଃଖ ନୁହେଁ ସୁଖ ବି ମିଳିଥାଏ ହୋଇ ସାଥୀ ତାହାର,
କିନ୍ତୁ ଜଣା ପଡେ ନାହିଁ, ରହେ ସିଏ ଯନ୍ତ୍ରଣା ସାଙ୍ଗର |
ସେଥିପାଇଁ ବୁଝେ ନାହିଁ ଏହି ମନ, ପ୍ରଶ୍ନ କରେ ବହୁବାର,
କେତେ ବା ସହିବ ସିଏ ଯାତନା ଏହି ହୃଦୟହୀନ ଯନ୍ତ୍ରଣାର ?
ଜନମ ହୋଇ ଧରିଛି ସିଏ କର୍ମର କାତ ଜୀବନ ନୌକାର,
ପାରିହେବ ଭାବି କର୍ମ ନୌକାରେ ସହଜେ, ଧାର ସମୟ ବୈତରଣୀର |
ମାରୁଛି କାତ ସିଏ ବେଗେ ପାରି ହେବା ପାଇଁ ହେଉଛି କାତର,
କ୍ଲାନ୍ତ ହୋଇ ଥକି ଯାଏ, ଯେବେ ପାଏ ନାହିଁ କାତ ତାହାର |
ଜାଣିପାରେ ନାହିଁ ସିଏ, ଦେଖି ପାରେ ନାହିଁ ସମୟର ଠାର,
ବୁଝିପାରେ ନାହିଁ ସମୟ ଆସିଛି କରିବ ହୃଦୟ ବିଚ୍ଛେଦ ତାହାର |
ପ୍ରସ୍ତୁତ ନଥିଲା ସିଏ କେବେ ଏହି ହୃଦୟ ବିଚ୍ଛେଦ ପାଇଁର,
କହିବ କାହାକୁ ?ଏଠି କିଏବା ଶୁଣିବ? କେହି ନୁହେଁ କାହାର |
ସେଥିପାଇଁ ମନମାରି ମାନିନେଲା ସବୁ ଖେଳ ଏହି ସମୟର,
ହୃଦୟ ବିଚ୍ଛେଦ ପରେ ହେବ ଅନ୍ତ ଏବେ ଜୀବନ ଯାତ୍ରାର |
