ହନୁମାନ
ହନୁମାନ
ଶ୍ରୀଗୁରୁ ପୟର ବନ୍ଦନା କରି ହୋଇଣ ମୋଦ ।
ହନୁମାନ ଜନ୍ମ ରହସ୍ୟ କହେ ହୋଇ ଆନନ୍ଦ ।।
ବାନର ରାଜନ କୁଞ୍ଜର କନ୍ୟା ମାତା ଅଞ୍ଜନା।
ବିବାହ କଲେ କେଶରୀଙ୍କୁ ହୋଇ ହରଷମନା।।
ସୁଗୁଣ ସମ୍ପନ୍ନ କେଶରୀ ହେଲେ ବିଧି ବଶରେ ।
ଦୀର୍ଘକାଳ ଯାଏଁ ସନ୍ତାନ ନହୋଇଲା କୁଳରେ।।
ସନ୍ତାନ ପ୍ରାପତି ପାଇଁକି ମହାମାୟୀ ଅଞ୍ଜନା ।
ତପସ୍ୟା ରତ ରହି ସଦା କରୁଥିଲେ ସାଧନା ।।
ଈଶ୍ବର ପାର୍ବତୀ ମର୍କଟ ମର୍କଟୀ ରୂପ ଧରି।
କ୍ରୀଡାରତ ଥିଲେ କାନନେ ଆନନ୍ଦରେ ବିହରି।।
ଗର୍ଭୋଦୟ ତହିଁ ହୋଇଲା ମାତା ପାର୍ବତୀଙ୍କର ।
ସେ ଗରଭ ମାତା ଅରପି ଦେଲେ ବାୟୁହସ୍ତର।।
ବାୟୁ ତାକୁ ନେଇ ସ୍ଥାପିଲେ ଅଞ୍ଜନାଙ୍କ ଗର୍ଭରେ।
ଦିନୁଁ ଦିନ ଗର୍ଭ ବଢିଲା ଅଞ୍ଜନାଙ୍କ ଉଦରେ ।।
ପୂର୍ବ ଜନମର ପୁଞ୍ଜିକସ୍ଥଳୀ ଦେବୀ ଅଞ୍ଜନା ।
ଦେବଗୁରୁ ବୃହସ୍ପତିଙ୍କ ପରିଚାରିକା ସିନା।।
କୁସୁମ ଚୟନ କରି ସେ ନିତି ତାଙ୍କୁ ଯୋଗାଏ।
ବଗିଚାରେ ଦିନେ ମୋହିତ ଯାହା ପୁରାଣ ଗାଏ।।
କୁସୁମ ଚୟନ ନକରି ବୃହସ୍ପତିଙ୍କୁ ଧରି ।
ଆଲିଙ୍ଗନ କଲା ନିବିଡେ ସେହି ସୁର ସୁନ୍ଦରୀ ।।
କ୍ରୋଧାନ୍ୱିତ ହୋଇ ଦେଲେ ଅଭିଶାପ ବୃହସ୍ପତି।
ମର୍ତ୍ତ୍ୟରେ ବାନରୀ ହୋଇବୁ ଲଭିବୁ ତୁ ଏ ଗତି।।
ବାନରକୁ ବିବାହ କରି ଶିବ ଔରସେ ତୋର।
କୁମାର ଜନମ ହୋଇଲେ ହେବୁ ଶାପରୁ ପାର।।
ସେହି ଶାପ ଫଳେ ଜନମ ଲଭି ଦେବୀ ଅଞ୍ଜନା ।
କେଶରୀଙ୍କୁ ବାହା ହୋଇଲେ ଦୁହେଁ ବାନର ସିନା।।
ମହାମେରୁ ପରବତର ଦକ୍ଷିଣ ଜଙ୍ଗଲରେ ।
ଜନମ ହେଲେ ହନୁମାନ ଶିବଙ୍କର ଅଂଶରେ ।।
ଜନମ ହେବା ପରେ ବାଲ୍ୟାବସ୍ଥା ଆସିଲା ।
ଶାପମୁକ୍ତ ମାତା ତାଙ୍କର ସ୍ବର୍ଗେ ପ୍ରସ୍ଥାନ ହେଲା।।
ମାତା କହିଥିଲେ ପାଚିଲା ଫଳ ଖାଇବା ପାଇଁ ।
ହନୁମାନ ଯେବେ ସୂର୍ଯ୍ୟଦେବଙ୍କୁ ଦେଲେଅନାଇଁ।।
ପାଚିଲା ଫଳଟିଏ ଭାବି ଡିଆଁଟିଏ ମାରିଲେ । ଏକ ଡିଆଁରେ ସେ ସୂର୍ଯ୍ୟଙ୍କ ପାଖେ ପହଞ୍ଚିଗଲେ।।
ରାହୁକୁ ଦେଖି ସୂର୍ଯ୍ଯ ପାଶେ କୁଦିଲେ ଉପରକୁ । ଐରାବତ ହସ୍ତୀ ଥିଲା ବାହାରିଲେ ଗିଳିବାକୁ।।
ଇନ୍ଦ୍ର ଯେବେ ବଜ୍ର ପେଷିଲେ ହନୁ ମୁଖେ ବାଜିଲା।
ଆହତ ହୋଇ ଖସିଲେ ପାତାଳେ ପବନନେଲା।।
ବାୟୁ ଯେବେ ଗଲେ ପୃଥ୍ବୀରୁ ସବୁ ସ୍ଥିର ହୋଇଲା
ସକଳେ ଶ୍ୱାସରୁଦ୍ଧ ହେଲେ କିବା ଜୀବନ ଗଲା।।
ବ୍ରହ୍ମାଦିଦେବେ ପାତାଳରୁ ବାୟୁଙ୍କୁ ଫେରାଇଲେ।
ହନୁମାନଙ୍କୁ ସର୍ବ ଦେବ ଆଶୀର୍ବାଦ କରିଲେ ।।
ବ୍ରହ୍ମା ଥିବା ଯାଏଁ ରହିବେ ବିଷ୍ଣୁ ଭକତ ହେବେ।
ଅସ୍ତ୍ର ଶସ୍ତ୍ର ଭେଦ ନ ହେବ ଅନଳ ନ ଦହିବେ।।
ମୃତ୍ୟୁ ନ ମାରିବ ବଳ ବେଗେ କେ ନୁହେଁ ସମାନ।
ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଅଗ୍ନ୍ୟାଦି ଦେଲେ ଆଶିଷ ଦାନ।।
ଅତୁଳିତ ବଳ ତାଙ୍କର ହେମଗିରି ସମାନ ।
ଶରୀର , ଅସୁରବନକୁ ସେ ଅନଳ ସମାନ ।।
ଅଗ୍ରଗଣ୍ୟ ଜ୍ଞାନୀଜନଙ୍କ ସର୍ବ ଗୁଣର ଖଣି।
ବାନରଙ୍କ ପତି ରାମ ଭକତ ମଉଡମଣି ।।
ଜଗତର ସର୍ବ କରମ ସିଦ୍ଧି ତାଙ୍କ କୃପାରେ।
ହୁଅଇ , ଚିରଞ୍ଜିବୀ ବନ୍ଦେ ତୁମ ପୟରେ।।
