ହେବା ସର୍ବେ ସାବଧାନ
ହେବା ସର୍ବେ ସାବଧାନ
କ୍ଷମତା ଓ ଅର୍ଥ ଅର୍ଜନେ ପ୍ରଲୁବ୍ଧ
ପ୍ରମତ୍ତ ମଣିଷ ଅନ୍ଧ
ମଣୁଛି ନିଜକୁ ବଳବାନ ଶ୍ରେଷ୍ଠ
ସର୍ବେ ତାର ବଶମ୍ବଦ ।
କ୍ଷଣିକ ସୁଖର ଲୋଭରେ ମଣିଷ
ହୁଏ ନୀଚ୍ଚ ସ୍ବାର୍ଥପର
ଠୁଳାଏ ଅଜସ୍ର ଧନ ଓ ସମ୍ପତ୍ତି
କୋଠାବାଡି ମାଳମାଳ ।
କର୍ଣ୍ଣକୁ ଗୋଚର ହୁଏ ନାହିଁ ତାର
ବୁଭୁକ୍ଷୁ ଆର୍ତ୍ତ ଚିତ୍କାର
ଗୃହ ଶୀତତାପେ ଭୋଗ ଓ ବିଳାସେ
ରହୁଛି ମଗ୍ନ ପାମର ।
ବୁଝୁନାହିଁ ସିଏ ଜୀବନ ଯନ୍ତ୍ରଣା
ସାଧାରଣ ଜନମନ
ହୀନ ପଶୁତୂଲ୍ଯ ଅଟେ ମୁଢମତି
ଦୁର୍ଜନ ହିଂସ୍ର ରାବଣ ।
ଜୀବନ ଯୌବନେ ଭାଙ୍ଗିଯାଏ ସ୍ବପ୍ନ
ଯୁବା ହୁଏ ପଥଭ୍ରଷ୍ଟ
ଭବିଷ୍ଯ ଅନ୍ଧାରେ ଶିକ୍ଷିତ ବେକାର
କିଂକର୍ତ୍ତବ୍ଯ ନିଶାଗ୍ରସ୍ତ ।
ମରି ମରି ନିତି ଜୀଏ ସାଧାରଣ
ପାଏନି ତ୍ବରିତ ନ୍ଯାୟ
ନିଯୁକ୍ତି ଆହାର ଶିକ୍ଷା ବାସ ହରା
ନାଗରିକ ଅସହାୟ ।
ବ୍ଯାପୁଛି ଅନ୍ଯାୟ ଭ୍ରଷ୍ଟ ରାଜନୀତି
ବ୍ଯଭୀଚାର ଦୁରାଚାର
ବିଷ ହଳାହଳେ ସଢୁଛି ନରକେ
ଜୀବନ ଜରା ଜର୍ଜର ।
ପାରେ ନାହିଁ କହି ବିଚରା ଜନତା
ନୁହେଁ ସେ ମୁକ ବଧିର
ରହିଛି ତା ପାଶେ ଅମୋଘ ଶକତି
ପାଶୁପତ ମହାଅସ୍ତ୍ର ।
କୁହୁଳିଲେ ଥରେ ହୃଦୟର ବହ୍ନି
ଜଳେ ହୋଇ ହୁତାଶନ
ଆଚରି ସଂଯମ ବେଳ ଥାଉଁ ଆସ
ହେବା ସର୍ବେ ସାବଧାନ ।
ବିଶ୍ବର ଆଦର୍ଶ ସ୍ବୟଂ ଜଗଦୀଶ
ମହାବିଷ୍ଣୁ ଜଗନ୍ନାଥ
ଲଭିଣ ଦିବ୍ଯତା ବିଭୁ ଶୁଭାଶିଷ
ଜଗତ ହେଉ କୃତାର୍ଥ ।।
