ହେ ପୃଥିବୀ ତୁମେ
ହେ ପୃଥିବୀ ତୁମେ
ତୁମେ ଘୂରିଲେ ଗ୍ରୀଷମ ଆସେ ଚାଲି
ଦିନ ହୁଏ ବଡ଼
ସୂରୁଯ ବରଷେ ନିଆଁ
ଶୁଖେ ନଦୀ କୂଅ
ତାତିଯାଏ ନଈ ବାଲି ।।
ତୁମେ ଘୂରିଲେ ବରଷା ଆସେ ପଶି
ଦିଶେ ଇନ୍ଦ୍ରଧନୁ
ଆକାଶେ ସାଜଇ ମେଘ
ଶୁଖିଲା ଧରଣୀ
ପାଣି ପାଇ ଉଠେ ହସି ।।
ତୁମେ ଘୂରିଲେ ଶରତ ଆସେ ପରା
ଫୁଟେ ଜହ୍ନିଫୁଲ
ବସେ କାଶତଣ୍ଡୀ ମେଳା
ଶେଫାଳି ମହକେ
ମହକିତ ହୁଏ ଧରା ।।
ତୁମେ ଘୂରିଲେ ହେମନ୍ତ ଆସେ ଧାଇଁ
ବହେ ହିମ ବାଆ
ଶିଶିର ପଡ଼ଇ ଝରି
ପାଚେ ଧାନ କ୍ଷେତ
କାଟିଆଣେ ଚାଷୀ ଭାଇ ।।
ତୁମେ ଘୂରିଲେ ଶୀତଟି ଆସେ ପରା
ଦିନ ହୁଏ ଛୋଟ
ଶୀତବାସ ହୁଏ ଲୋଡ଼ା
ଖୋଜନ୍ତି ସଭିଏଁ
ସକାଳକୁ ଟାଣ ଖରା ।।
ତୁମେ ଘୂରିଲେ ବସନ୍ତ ଆସେ ପଶି
କଅଁଳେ ପତର
ଫୁଟେ ଜାତି ଜାତି ଫୁଲ
ପିକ ଗାଏ ଗୀତ
ଦୋଳି ଖେଳେ ଆମ୍ବକଷି ।।
ତୁମେ ଘୂରୁଥାଅ ଗୋଟେ ନଟୁ ଭଳି
ଘୂରୁଥାଅ ପୁଣି
ସୂରୁଯଙ୍କ ଚାରିପାଶେ
ହେ ପୃଥିବୀ ତୁମେ
ତୁମକୁ ନ ହୁଏ କଳି ।।