ହେ ପରମେଶ୍ୱର
ହେ ପରମେଶ୍ୱର
ଏଇ ହଳେ ଆଖି ପାରୁନାହିଁ ଦେଖି
ଧରଣୀ ମାଆର ଲୁହ
ହୃଦୟ ବୁଝୁନି ସରୁଛି ରଜନୀ
ସରୁନି ହୃଦୟ କୋହ ।
ଚଉଦିଗେ କୁଢ଼ା କୁଢ଼ କୁଢ଼ ଶବ
ଶ୍ମଶାନେ ଶବଙ୍କ ଭିଡ଼
ହଜିଛି ମହୀରୁ ହସର ଲହରି
ଲାଗୁଛି ଶବଙ୍କ ଗଡ଼ ।
ପୁତ୍ରକୁ ହରେଇ ମଥା ପିଟେ ମାତା
ପିତାଙ୍କ ନୟନେ ନୀର
ଭଉଣୀ କାନ୍ଦଇ ଭାଇକୁ ବଖାଣି
ପତ୍ନୀର ଫିକା ସିନ୍ଦୂର ।
ଅସହ୍ୟ ଯନ୍ତ୍ରଣା ଦୁଃଖ ର ଖଜଣା
ତିଳେ ସହିହେଉନାହିଁ
ହେ ପରମେଶ୍ବର ବିଶ୍ୱକୁ ଉଦ୍ଧାର
କେମିତି ପାରୁଛ ରହି ।
ବିଶ୍ୱାସେ ତୁମକୁ ଶିଳାର ଦେହରେ
ମାନୁଥିଲା ଯେହୁ ଈଶ
ଧୂପ ଦୀପ ଦେଇ ଶ୍ରଦ୍ଧା ଓ ଭକ୍ତିରେ
ଗାଉଥିଲା ତୁମ ଯଶ ।
ହେ ବିଶ୍ୱବିହାରୀ ଶୁଣିଯାଅ ଥରେ
ହୃଦୟର ତାର ବ୍ୟଥା
କହିବା ଆଗରୁ ଜାଣିପାର ପରା
ମନର ଅକୁହା କଥା ।