ହେ ହୋଲି ମନ ଯାଏ ଦୋହଲି
ହେ ହୋଲି ମନ ଯାଏ ଦୋହଲି
ଫଗୁଣ ଆସିଛି ନେଇ ରଙ୍ଗ ପିଚକାରୀ ଚଇତି ଘୋଡାରେ ଚଢ଼ି,
ବଜାଇ ଢୋଲ ମାରଦଳ ତୁରୀ ସତେ ଅବା କରିବ ପ୍ରସ୍ଫୁଟିତ ହୃଦୟ ଭିତର କଢ଼ି l
ବାସନ୍ତୀ ପ୍ରେମିକ ପ୍ରେମିକା ଶ୍ରେଷ୍ଠ ଦ୍ୱାରିକାର ଫେରିଗଲେ
ଧରା ବୁଲି,
କହିଗଲେ ବସନ୍ତ ବାପୁଡ଼ାକୁ ନହୁଡ଼ିବାକୁ ପ୍ରେମର ବାଟ
ଆଉ ପ୍ରେମର ପସରା ହୋଲି l
ହୃଦୟ ଭିତରୁ ପ୍ରେମୀଳ ଫୁଆରା ବାହାରେ ପଦାକୁ
ଅବିରର ଧୂଳି କଣା ସାଜି,
ରଙ୍ଗୀନ କରି ଦିଏ ସଭିଙ୍କ ତନୁ ମନ ରଙ୍ଗ ବେରଙ୍ଗୀ
ଜଳ କଣା ଛିଞ୍ଚି ଯଥା ଆତସ ବାଜି l
ପ୍ରେମିକ ଧରି ହାତେ ପିଚକାରୀ ଇପ୍ସିତ ପ୍ରେମିକା ଗାତ୍ରେ
କରେ ରଙ୍ଗିଲା ମଳୟ ସମୀର ବନ୍ଧେ,
ଆସ ମୋ ନାୟିକା ପ୍ରାଣର କଳିକା ନପାରିବି ତୁମ ବିନା
ଆଉ ବଞ୍ଚି ପ୍ରାଣ ଢାଳି କବନ୍ଧେ l
ଆବାଳବୃଦ୍ଧବନିତା ନାଚନ୍ତି ବାସନ୍ତୀ ପରବେ ହୋଲି ନାମ ଗାଇ ଗାଇ ଜନପଦେ,
ଅବିର ବୋଳା ବୋଳି ହୁଅନ୍ତି ସଭିଏଁ ପବିତ୍ର ଚିତ୍ତରେ ଲୀନ କରି ନିଜକୁ ରାଧାକୃଷ୍ଣ ପଦେ l
ପୂର୍ଵପଲ୍ଲୀର ଲଳନା ଗଣେ ସଜାଇ ନିଜକୁ ନାଗରୀ ପଣେ ପିଠା ପଣାରେ
ହୋଇ ନବବସ୍ତ୍ରାବୃତା ରସନ୍ତି ସ୍ୱଧବେ ହୋଲିକା ରସ ରଙ୍ଗ ରତି ପୂର୍ଣ୍ଣ ଯାମିନୀରେ l
ଗ୍ରାମ୍ୟ ମରଦେ ସୋମରସ ଆଉ ସବୁଜପତ୍ର ନିଶା ଉନ୍ମାଦେ ବୋହି ଚାଲନ୍ତି ମିଛ କୋକେଇ କାନ୍ଧେ,
ବାଜା ତାଳେ ତାଳେ ଝୁଲି ଝୁଲି ଝୁମି ଝୁମି ବିତରନ୍ତି ନାଲି ନେଲି ହଳଦିଆ ଅବିର ବିନା ଦ୍ବନ୍ଦେ l
ପବିତ୍ର ଭାରତ ଭୂମିରୁ ଉଦ୍ଭବ ଏଇ ଆମ ହୋଲିକା ଦାନବୀ ନାଶିବାକୁ କେତେ ଧ୍ରୁବ ପ୍ରହଲ୍ଲାଦ,
କିନ୍ତୁ ବିଭୁ ପୁଣ୍ୟ ଅଗ୍ନି ସଂଯୋଗେ ବଦଳିଲା ତା ତନୁମନ
ଚିରକାଳ ନେଇ ନବ ରୂପ, ମାନବୀର ହୃଦ l
ପିକ କୁହୁ ତାନ, ସୂକ୍ଷ୍ମ ରବି ରଶ୍ମି,ମନ୍ଦ ସମୀର, ଶୀତଳ ସୁନେଲି ଜ୍ୟୋତ୍ସ୍ନା ଗୋଲେଇ ଜହ୍ନର,
କରିଚାଲେ ଉଚ୍ଚାଟ ଆଦ୍ୟ ଯୌବନ ସିକ୍ତ ତରୁଣ ତରୁଣୀ
ପ୍ରଣୟ ପିପାସୁ ପ୍ରାଣକୁ ସତ୍ତ୍ୱର l
ହେ ହୋଲି ତୁମେ ଯାଆନା ଆମକୁ ଭୁଲି ଆସ ଏମିତି
ଜାକ ଜମକେ ପ୍ରତି ବରଷେ
ଦିଅ ଢାଳି ଆମ ପ୍ରାଣେ ପ୍ରେମର ପିୟୁଷ ମନ ଲୋଭା ଅବିର ବରଣେ ମାନବୀୟ ଗୁଣୀ ପାରିଜାତ ପରଶେ l
