STORYMIRROR

Hrushikesh Satpathy

Tragedy

3  

Hrushikesh Satpathy

Tragedy

ହେ ବନ୍ଧୁ,ଅଟକି ଯାଅ

ହେ ବନ୍ଧୁ,ଅଟକି ଯାଅ

1 min
187

ତୁମେ ତ କହିଲ ମୋ' ପାଇଁ ରଖିଛ

    ବନ୍ଧୁତାର ବରକୋଳି,

କାହିଁକି ତାହେଲେ ବାଢ଼ିଦେଲ ମୋତେ

    ବିଷର ସୁବର୍ଣ୍ଣ ଥାଳି?


ବର କୋଳି ଖାଇ  ଦୂର୍ବାଦଳ ରାମ

    ତାରିଥିଲେ ଅହଲ୍ୟାକୁ,

ଅପେକ୍ଷା କଲ ନି, ଛଳରେ ଛଳରେ

    ଚାହିଁଲ କି ମାରିବାକୁ ?


ମାରି ପାରିଲ ନି  ହାରି ଦେଇଗଲ

     ମଣିଷ ମହତ ପଣ,

ଫୁଟିବା ଆଗରୁ ମଉଳି ଗଲା ଯେ

     ବନ୍ଧୁତାର ଯଉବନ ।


କିଛି ପାଇଲ ନି,ଶେଷରେ ବନ୍ଧୁତା-

    ପଣକୁ ଅପମାନିଲ,

ଜିତିବା ମୁହୂର୍ତ୍ତେ  ଅଭିନୟ କରି

    ଜିତୁ ଜିତୁ ହାରିଗଲ ।


ବନ୍ଧୁ ଯେ ଅନନ୍ତ ସାଗରେ ନିର୍ଲିପ୍ତ

   ତ୍ୟାଗ,ପ୍ରୀତି,ବଳିଦାନ,

ବନ୍ଧୁ ପାଇଁ ବନ୍ଧୁ  ଜନ୍ମ ଜାତକରୁ

    ନିୟତିର ବରଦାନ!


ବନ୍ଧୁତ୍ୱ ଭିତରେ   ତୃତୀୟ ଚରିତ୍ର

   ରୋପିଦେଲା ବିଷ ଭ୍ରୂଣ,

ରୁଗ୍ଣ କରିଦେଲା ତୀକ୍ଷ୍ଣ କଟାକ୍ଷରେ

   ହେବା ଆଗୁ ପ୍ରସାରଣ ।


ଜାଣିଥିଲି ସତ   ପ୍ରକାର ପ୍ରକାର

    ମିଛ ମଣିଷର ହସ,

ଜାଣି କି ଥିଲି ମୁଁ ଅନ୍ଧାର ଅନ୍ଧାର

    ମିଛ ବନ୍ଧୁ ପରିହାସ !!


ସମୟ କେବେ ବି ମିଛ କୁହେନାହିଁ

   ହେ ବନ୍ଧୁ! ଅଟକି ଯାଅ,

ତୃତୀୟ ପୁରୁଷ ଈର୍ଷାରେ ସଂଶ୍ଳିଷ୍ଟ

   ବନ୍ଧୁ କେବେ ମିଛ ନୁହଁ ।


ସେଦିନ ଖୋଜିବ ଖୋଜି ଚାଲିଥିବ

   ପାଇବନି ମୋତେ ଆଉ,

ବନ୍ଧୂହରା ହୋଇ ସର୍ବହରା ହେବ

    ସବୁକିଛି ଥାଉ ଥାଉ ।


ଆଖି ଲୁହ ତୁମ ଗାଇ ଦେଇ ଯିବ

    ସବୁ ଅଛି କିଛି ନାହିଁ,

ବିଦାୟ ହେ ବନ୍ଧୁ! ସମ୍ମାନ ଦେଉଛି

    ଅଭିମାନ ସବୁ ଦେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy