ହାଟ
ହାଟ
ସଂସାର ହାଟରେ ଜୀବାତ୍ମା ଆମର ବୁଲିଲା ସଉଦା କରି,
ଇନ୍ଦ୍ରିୟଙ୍କ ସହ ମନ-ପତ୍ନୀ ଥିଲେ ବଡ଼ବଡ଼ ଥଳି ଧରି ।(ଘୋଷା)
ଧନ-ହାଟ ଥିଲା ସବୁଠୁ ଗହଳି ପାପ ବିକୁଥିଲା ମିଛ,
ଲୋଭ ବିକୁଥିଲା-ମିଠାମିଠା ବିଷ ମୋହ ବିକୁଥିଲା ଲାଞ୍ଚ ।
ମନ କହିଦେଲା-ଶସ୍ତାରେ ମିଳୁଛି ନେଇଯିବା ଥଳିଭରି ।
ସଂସାର ହାଟରେ ଜୀବାତ୍ମା ଆମର ବୁଲିଲା ସଉଦା କରି ।(1)
ମାନ-ହାଟ ଦେଖି ଜୀବାତ୍ମା ଡରିଲା କହିଲା-ପଳେଇ ଚାଲ,
ମାନପତ୍ର ଆଉ ପ୍ରଶଂସା ନେବାକୁ ଠକ ଖାଲି ମାଳମାଳ ।
ମନ-ପତ୍ନୀ ବଡ଼ ବିକଳରେ ଖଣ୍ଡେ ସେଥିରୁ କରିଲା ଚୋରି ।
ସଂସାର ହାଟରେ ଜୀବାତ୍ମା ଆମର ବୁଲିଲା ସଉଦା କରି ।(2)
ଜ୍ଞାନ-ହାଟ ଥିଲା ସବୁଠୁ ନିର୍ମଳ ମହମହ ବସୁଥିଲା,
ଏକାଏକା ଜଣେ ସାଧୁ ଜଣେ ବସି ସେ ହାଟରେ କାନ୍ଦୁଥିଲା ।
ଭିତରକୁ ମନ-ପତ୍ନୀ ଗଲାନାହିଁ ଜ୍ଞାନ ଓଜନକୁ ଡରି ।
ସଂସାର ହାଟରେ ଜୀବାତ୍ମା ଆମର ବୁଲିଲା ସଉଦା କରି ।(3)
ପୁଣ୍ୟ-ହାଟ ଗଳି ଭିକାରି ଗହଳି ମାଗଣାରେ ଦିଆନିଆ,
ହାଟର ପଛରେ ବିକଳେ କାନ୍ଦନ୍ତି ସର୍ବହରା ଛୁଆ-ମାଆ ।
ଇନ୍ଦ୍ରିୟ ପାଞ୍ଚଟି ଲାଳ ଗଡ଼େଇଲେ ମନଦେଲା ଆଖିଠାରି ।
ସଂସାର ହାଟରେ ଜୀବାତ୍ମା ଆମର ବୁଲିଲା ସଉଦା କରି ।(4)
