ଗୁରୁ ହିଁ ଆଲୋକବର୍ତ୍ତିକା
ଗୁରୁ ହିଁ ଆଲୋକବର୍ତ୍ତିକା
ବର୍ଣ୍ଣାଶ୍ରମ ବ୍ୟବସ୍ଥା ଥିଲା
ବୈଦିକ ଯୁଗରେ
ଗୁରୁ ଆଶ୍ରମରେ ରହି
ଶିକ୍ଷା ପ୍ରାପ୍ତି ଗୁରୁ ମାଧ୍ୟମରେ
ଶିକ୍ଷା ସହ ଦକ୍ଷତା ହାସଲ ପରେ
ଗୁରୁ ଦକ୍ଷିଣା ପୂର୍ବକ
ସମର୍ପଣ ଭାଵନା ସହିତ ବିଦାୟ
ଜୀବନ ହୁଅଇ ସାର୍ଥକ।
କାଳକ୍ରମେ ଶିକ୍ଷାଦାନର ବ୍ୟବସ୍ଥା
ପରିବର୍ତ୍ତନ ହୋଇଛି
ତଥାପି ଗୁରୁ ଶିଷ୍ୟର ସମ୍ପର୍କ
ଅତୁଟ ବନ୍ଧନ ରହିଛି।
ଏକଲବ୍ୟ ର ଆଦର୍ଶ ଗୁରୁ ଦକ୍ଷିଣା
ଏ ସମାଜ ମନେ ରଖିଅଛି
ଗୁରଙ୍କ ଦକ୍ଷିଣା ସ୍ୱରୂପ ନିଜ ଆଙ୍ଗୁଠି
କାଟି ପ୍ରଦାନ କରିଛି।
ଗୁରୁ ଦିବସ ପାଳନ ଶୁଭ ଅବସରେ
ଗୁରୁ ପୂଜନ ବିଧି ରହିଅଛି
ଗୁରୁ ବିଷୟକ ଜ୍ଞାନ ର ବି
ଆବଶ୍ୟକତା ରହିଛି।
ଜୀବନର ଚଲା ପଥେ
ଗୁରୁ ପ୍ରତି ପାହାଚରେ
ବିସ୍ତାରି କହିଲେ ବୁଝିହେବ
ଗୁରୁଙ୍କ ମହିମା ଏଇ ସମାଜରେ।
ପାଟିରୁ ବାହାରେ ପ୍ରଥମ ଶବ୍ଦ ମା
ମା ହିଁ ପ୍ରଥମ ଗୁରୁ
ଚାଲିବା ବୁଲିବା ଶିଖାଇଲେ ବାପା
ବାପା ବି ଦ୍ଵିତୀୟ ଗୁରୁ।
ପିତାମାତାଙ୍କ ସ୍ନେହ ମମତାରେ
ପିଲାଦିନ ଯାଏ ବିତି
ଜୀବନ୍ତ ଦେବତା ଆମ ପିତାମାତା
ଭକ୍ତି ରହୁ ତାଙ୍କ ପ୍ରତି।
ଜୀବନର ଏଇ ଚଲା ପଥରେ
ଜ୍ଞାନାଲୋକ ନିହାତି ଜରୁରୀ
ଗୁରୁ ବିନା ଆମ ଜୀବନ ଅନ୍ଧାର
ଜ୍ଞାନ ଶିକ୍ଷା ପାଇଁ ଗୁରୁ ଦରକାରୀ।
ପୁରୁଣା କାଳରେ ଗୁରୁକୁଳ ଶିକ୍ଷା
ସମାଜରେ ରହିଥିଲା
ଶିକ୍ଷା ଦିକ୍ଷା ପାଇଁ ଗୁରୁଙ୍କ ସାନିଧ୍ୟ
ଗୁରୁକୁଳ ମୁଖ୍ୟ ଥିଲା।
ପୁରାଣ ଯୁଗରୁ ରହି ଆସିଅଛି
ଗୁରୁ ଶିଷ୍ୟର ସମ୍ପର୍କ
ଦେବତା ହୋଇ ଜନ୍ମିଲେ ବି
ଗୁରୁ ଜ୍ଞାନେ ହିଁ ଜୀବନ ସାର୍ଥକ ।
ଶ୍ରୀକୃଷ୍ଣଙ୍କ ଗୁରୁ ଅଟେ ସନ୍ଦିପନି
ଶ୍ରୀରାମଙ୍କ ଗୁରୁ ବଶିଷ୍ଠ
ଯୁଗେ ଯୁଗେ ଗୁରୁ ଶିଷ୍ୟ ପରମ୍ପରା
ଦେଖିଛି ଏ ଧରା ପୃଷ୍ଠ ।
ପୁରାଣ ପୃଷ୍ଠାରେ ଲେଖା ରହି ଅଛି
ଶିଷ୍ୟ ଉପମନ୍ୟୁ କଥା ସାକ୍ଷୀ
ଗୁରୁଙ୍କ ପାଖରୁ ଶିକ୍ଷା ଲାଭ ପାଇଁ
ହରାଇଲେ ନିଜ ଦୁଇ ଆଖି
ଗୁରୁଙ୍କ ଆଦେଶ ମାନି ଶିଷ୍ୟ ଆରୁଣି ଘାଇରେ ଶୋଇ ଅଟକାଇଲେ ପାଣି।
ମହାଭାରତରେ ଏକଲବ୍ୟ କଥା
ଉଲ୍ଲେଖ ହୋଇ ରହିଛି
ଗୁରୁଙ୍କ ପାଇଁ ଦକ୍ଷିଣା ସ୍ୱରୂପ
ନିଜ ଆଙ୍ଗୁଠି କାଟି ଦେଇଛି
ଇତିହାସ କହେ ଚଣ୍ଡାଶୋକ କଥା
ଶୁଣି ଗୁରୁ ଉପଗୁପ୍ତ ଜ୍ଞାନ
ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଲେ
ଧର୍ମାଶୋକ ହେଲେ ପାଇ ଜ୍ଞାନ।
ଗୁରୁଙ୍କୁ ଯଦି ଦର୍ପଣ ଭାବିବ
ନିଜ ପ୍ରତିଛବି ଦେଖି ପାରିବ
ଗୁରୁଙ୍କୁ ଏକ ଝରକା ମଣିଲେ
ସାରା ଦୁନିଆ ଦେଖି ପାରିବ
କବିତା ବୋଲି ଯଦି ଭାବିବ ଗୁରୁଙ୍କୁ
ନିଜ ଭାବନା ବୁଝି ପାରିବ
ଗୁରୁ ହିଁ ଜ୍ଞାନର ଦୀପ ସଦୃଶ
ଭବିଷ୍ୟତ ଆଲୋକିତ ହେବ।
ଗୁରୁ ହିଁ ଜୀବନ-ବୃକ୍ଷର ଉର୍ବର ମୃତ୍ତିକା
ଧରି ରଖେ ଦୃଢ଼ କରି
ଅନୁଶାସନ ଓ ସଂସ୍କାର ସହିତ
ଜୀବନ ଯାଏ ସୁଧୁରି
ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର
ଗୁରୁଙ୍କ ପାଖରେ ରହିଛି
ବ୍ୟକ୍ତିତ୍ଵ ବିକାଶ ଧାରା
ଗୁରୁଙ୍କ ବାକ୍ୟରେ ଲୁଚିଛି
ଶିଷ୍ୟର ଅସ୍ତିତ୍ବ ବିଷୟକ ଜ୍ଞାନ
ଗୁରୁଙ୍କୁ ହିଁ ଜଣା
ବିନା ଗୁରୁ ରେ ଜୀବନ
ହୋଇପାରେ ବାଟବଣା
କୁମ୍ଭାର ଯେପରି ନିଜସ୍ଵ ଶୈଳୀରେ
ମାଟିକୁ ରୂପ-ରେଖ ଦିଏ
ସାଧାରଣ ମଣିଷ ବି ହୁଅଇ ମହାନ
ଯଦି ଗୁରୁଙ୍କ ଆଶୀର୍ବାଦ ଥାଏ।
ଗୁରୁ ହିଁ ଜ୍ଞାନ ରୂପକ ସୂର୍ଯ୍ୟ
ସ୍ଥାନ ବହୁତ ଉଚ୍ଚରେ
ଅଜ୍ଞାନ-ଅନ୍ଧାର ଦୂରୀଭୂତ ହୁଏ
ସେଇ ଆଲୋକବର୍ତ୍ତିକା ରେ
ଅଜ୍ଞାନର ଘନ ଅନ୍ଧକାର
ଗୁରୁ ହିଁ କରଇ ଦୂର
ଜ୍ଞାନର ଆଲୋକ ତାପରେ
ଲୋପ ହୁଏ ଘନ-ତିମିର।
ଗୁରୁ ଶୀତଳ ଜଳ ସଦୃଶ
ଜ୍ଞାନ ଜଳ ଦରକାରୀ
ବଞ୍ଚିବାର ଉପାଦାନ ପାଇଁ
ଗୁରୁ ନିହାତି ଜରୁରୀ
ଗୁରୁ ଜ୍ଞାନଦାତା ବର୍ଣ୍ଣନା କରିବା
ହୁଏ ଶବ୍ଦର ଅଭାବ
ମହାନତା କୁ ଭାଷାରେ କହିବା
ଏତେ ସହଜ ନୋହିବ ।
ମା ପରି ଗୁରୁଙ୍କ ଆସନ
ଅଟଇ ସବୁଠୁ ମହାନ
ଲୁହା ପରି ହେଲେ ହେଁ ଶିଷ୍ୟ
ଗୁରୁ କରନ୍ତି ସୁବର୍ଣ୍ଣ
ଗୁରୁଙ୍କ ସକାରାତ୍ମକ ଭାବନାରେ
ଶିଷ୍ୟର ହୁଅଇ ବିକାଶ
ଜ୍ଞାନ-ଶିଖା ବିକାଶରେ
ଅନ୍ଧାର ହୁଅଇ ବିନାଶ
ସଦା ସର୍ବଦା ଗୁରୁଙ୍କ ହସ
ହସ ସରସ ଆଭାସ
ତୃଷାର୍ତ୍ତ ଶିଷ୍ୟଙ୍କ ପାଇଁ ଜଳ ପରି
ଅଟେ ଅମୃତ ସଦୃଶ।
ଗୁରୁଙ୍କ ଭାବନାରେ ନିହିତ
ନିସ୍ବାର୍ଥ ସେବା ମନୋବୃତ୍ତି
କର୍ତ୍ତବ୍ୟ-ପରାୟଣତା ସହ
ଦାୟିତ୍ଵ ପ୍ରିୟ ଶିଷ୍ୟ ପ୍ରତି
ସମୟର ମୂଲ୍ୟବୋଧ ସହ
କାର୍ଯ୍ୟ ହୁଏ ନିଷ୍ପାଦନ
ଗୁରୁଙ୍କ ଆଦର୍ଶ ଶିକ୍ଷା ଓ ସଂସ୍କାର
ଶିଷ୍ୟ ପାଇଁ ମୂଲ୍ୟବାନ
ଶିକ୍ଷାଦାନ ର ବିଷୟ ବସ୍ତୁ
ସରଳ ହେଉ କି ଜଟିଳ
ଗୁରୁଙ୍କ ସହଜ ଉପାୟ ସୃଷ୍ଟିରେ
ବୁଝିବା ହୁଏ କୌତୁହଳ
ଗୁରୁ ଅବଦାନ ଅତୁଳନୀୟ
ରାଷ୍ଟ୍ର ନିର୍ମାଣରେ
ଅନୁଶାସନ ର ଶିକ୍ଷା ବି ନିହିତ
ବ୍ୟକ୍ତିତ୍ଵ ସୃଷ୍ଟିରେ
ବହୁତ ପୁରୁଣା ଗୁରୁ-ଶିଷ୍ୟ ର ସମ୍ପର୍କ
ରହିଛି ଯୁଗ ଯୁଗରୁ
ଯୁଗ ବଦଳିଲେ ବି ଗୁରୁ ନମସ୍ୟ
ଲିପିବଦ୍ଧ ସୃଷ୍ଟି ଆରମ୍ଭରୁ
ଗୁରୁଙ୍କ ପଦ ମର୍ଯ୍ୟାଦା ପ୍ରତି
ଅତୁଟ ବିଶ୍ୱାସ ରଖିବା
ସେହି ଗୁରୁଙ୍କ ପୟରେ
ଭକ୍ତି ଭରେ ପ୍ରଣାମ କରିବା
ମୁକ୍ତି ପଥେ ଗୁରୁ ଆଲୋକବର୍ତ୍ତିକା
ଯୁଗ ଯୁଗ ର ଏ ଉକ୍ତି
ପିତାମାତା ଗୁରୁ ପୁଣି ଗୁରୁଜନ
ଚରଣେ କର ପ୍ରଣତି
ଦେବତା ଦେଖି ନ ପାରିଲେ
ଦେଖ ପିତାମାତା ଗୁରୁ
ଚଳନ୍ତି ଜୀବନ୍ତ ଦେବତା
ଆମ ପାଇଁ ପିତାମାତା ଗୁରୁ
ବ୍ରହ୍ମଜ୍ଞାନ ଆହରଣ ପାଇଁ
ସଦ୍ ଗୁରୁ ନିହାତି ଜରୁରୀ
ଏ ସଂସାର ମୋହ ମାୟା ରୁ
ଗୁରୁ ହିଁ କରି ପାରିବେ ପାରି।
ମୋକ୍ଷ ନିର୍ବାଣ ଓ ଇଶ୍ୱରତ୍ଵ ପ୍ରାପ୍ତି
ଗୁରୁ କୃପା ବଳେ ହିଁ ମିଳିବ
ଭୌତିକବାଦୀ ଦୁନିଆରୁ
ଗୁରୁ କୃପାରୁ ହିଁ ମୁକ୍ତି ପାଇବ ।
ପୂର୍ବ ରାଷ୍ଟ୍ରପତି ରାଧା କ୍ରୀଷ୍ଣନ୍
ଗୁରୁ ଦିବସରେ ସ୍ମରଣୀୟ
ଗୁରୁଙ୍କୁ ସମ୍ମାନ ଦେବା ଜାଣିଛି
ଭାରତ ଓ ଭାରତୀୟ।
ଗୁରୁ ହିଁ ଈଶ୍ୱର ,ମୁକ୍ତି ପାଇଁ
ପଥ ପ୍ରଦର୍ଶକ ଏକା
ଜୀବନର ମୁକ୍ତି ପଥେ
ଗୁରୁ ହିଁ ଆଲୋକବର୍ତ୍ତିକା ।
