ଗୁଣ୍ଡୁଚି
ଗୁଣ୍ଡୁଚି
ତୋର ସେ ତରଳ ସରଳ ଅବୟବ ଧାରେ
କେତେ ଯୁଗର ପ୍ରୀତି ପୀୟୁଷ ଭରା;
ଛୋଟ ସିନା କଦ ତୁ ଅମୂଲ ମୂଲ ବୁଦ୍ଧିରେ
ତୋ କର୍ତ୍ତବ୍ଯ ପଣେ ପ୍ରୀତିପ୍ଳୁତ ଧରା ।।
ଛୋଟ ବୋଲି କେବେ ମନକୁ କରିନାହୁଁ ଛୋଟ
କର୍ମେ ଧର୍ମେ ସଦା ତୁହି ଉଚ୍ଚତମ;
ପ୍ରତି କ୍ଷଣେ କରୁଥାଉ ଖାଦ୍ଯଶସ୍ୟ ଏକଜୁଟ
ପ୍ରଖର ଜ୍ଞାନ ତୋ ପ୍ରଖର ଚିନ୍ତନ ।।
ତୋ ପରି ଜଣେ ସେନା ଥିଲେ ଯୁଦ୍ଧକ୍ଷେତ୍ରର
ନିଃସନ୍ଦେହ ବିଜୟ ନିଶ୍ଚିତ ହେବ;
ଖାଲି ବଳରେ ନୁହେଁ ବୁଦ୍ଧି ବିଦ୍ଯାରେ ଚତୁର
ଈଶ୍ବର ପ୍ରଦତ୍ତ କୃପା ତୋ ବୈଭବ ।।
ଏଠି ଅଛୁ ସେଠି ନାହୁଁ ସେଠି ଅଛୁ ଏଠି ନାହୁଁ
କ୍ଷଣ କ୍ଷଣକେ ଦ୍ରୁତ ବେଗେ ଉଭାନ;
ଜୀବନରେ ସମୟର ମୂଲ ତୁ ସିନା ବୁଝିଛୁ
ତୋ ଲାଗି କର୍ତ୍ତବ୍ଯ ଅଟଇ ମହାନ ।।
କର୍ତ୍ତବ୍ୟର ଦାସ ଦେଖୁନା ମାନ ଅପମାନ
କର୍ମ ଏକା ତୋର ମୁଖ୍ଯ ମାନଦଣ୍ଡ;
ଛୋଟ ବଡ ସବୁ ତୋ ଲାଗି ଅଟଇ ସମାନ
କ୍ଷୀପ୍ର ହେଲେବି ତୁ ନୁହେଁ ତ ଉଦଣ୍ଡ ।।
ଗୁଣ୍ଡୁଚି ମୂଷା ଲକ୍ଷ୍ମୀଙ୍କ ଗୁଣ୍ଡିଚା ଘର ଆଶା
ଦାଣ୍ଡେ ଖାଇ ଅଗଣାରେ ଯାଉ ଶୋଇ;
ମାତା ହସ୍ତରନ୍ଧା ଖାଦ୍ଯ ହେଉଥାଏ ପରସା
ଦୁଇ ହାତେ ପ୍ରଣାମ କରୁ ରହି ରହି ।।
ରାମସେତୁ ବନ୍ଧ ନିର୍ମାଣେ ତୋର ଅବଦାନ
ଦେଖି ପ୍ରଭୁ ତୋ କର୍ମ ପ୍ରୀତ ହୁଅନ୍ତି;
ଆଉଁସି ଦେଇ ତୋର ବକ୍ଷ କଲେ ସେ କଲ୍ଯାଣ
ତାଙ୍କ ହସ୍ତ ଚିହ୍ନ ତୋ ବକ୍ଷେ ଲାଗିଛି ।।
