ଗ୍ରୀଷ୍ମ ର ଜ୍ଵଳନ ଆଉ ମୋ ବୋଉ
ଗ୍ରୀଷ୍ମ ର ଜ୍ଵଳନ ଆଉ ମୋ ବୋଉ
ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ଜୀବଜଗତ
ଜଳୁଚି ଏ ପୃଥିବୀ
ସମସ୍ତେ କ୍ଳାନ୍ତ ଶ୍ରାନ୍ତ
ରକ୍ତ ଚିପୁଡା ଝାଳ ମାନେ
ଜାବୁଡ଼ି ଧରିଛନ୍ତି
ସାରା ଶରୀରଟାକୁ ।
ଗ୍ରୀଷ୍ମର ଅଗ୍ନି ବରଷାରେ
ସମସ୍ତେ ପୀଡ଼ାର
ଅନୁଭବକୁ
ବିରକ୍ତିର ଚାଦରରେ
ଶୁଖାଉ ଥିବା ବେଳେ
ମୋ ବୋଉ
ଖୋଲା ପିଠିରେ ପୁଳାଏ ଘିମିରିଙ୍କୁ
ସାଥିରେ ନେଇ
ଭାତ ହାଣ୍ଡିର ଚ଼ିନ୍ତା କରେ ।
ସମସ୍ତେ ପଙ୍ଖା ପବନରେ
ଆଉଁସେଇ ହେଉଥିବା ବେଳେ
ବୋଉ ମୋର ଧାନ ସିଝାଇ
ସୂର୍ଯ୍ୟଙ୍କର ଅଗ୍ନି ବରଷାରେ
ପିଠି ଦେଖାଇ
ବରଷକ ଚାଉଳ ଚିନ୍ତାରେ
ନିଆଁରେ ଗାଧୋଉ ଥାଏ ।
ସତେ ଯେମିତି
ଦାୟୀତ୍ୱଟା କେବଳ ତା'ରି ।
ହେଲେ,
ଜ୍ୱଳନରେ ଜଳିବାର ଯନ୍ତ୍ରଣା ବଦଳରେ
ଆତ୍ମ ସନ୍ତୋଷର
ମେଞ୍ଚା ମେଞ୍ଚାଚ଼ନ୍ଦନ
ସତେ ଯେପରି ତା ମୁହଁକୁ
ତୋଫା କରି ଦେଉଛି l
ତା ସ୍ଵୀକାରୋକ୍ତିର ଛଳ ଛଳ
ଝରଣାରେ
ସତେ ଯେମିତି ସେ ଗାଧୋଉଛି
ସମସ୍ତଙ୍କ ପାଇଁ କରି ପାରିବାର
ପାରିଲା ପଣିଆ ଭିତରେ
ସତେ ଯେମିତି ସେ ବିଭୋର
ନା ଅଛି ଆଳସ୍ୟ
ନା ଅଛି ଦୁଃଖ
ଗ୍ରୀଷ୍ମର ଜ୍ୱଳନ ରେ
ସମସ୍ତେ ଛଟପଟ
ହେଲେ ମୋ ବୋଉ
ତା ଯାଗାରେ ସେ ଅବଚ଼ଳିତ
ଏକ ନିର୍ଲିପ୍ତ ମଣିଷ
ସତେ ଯେମିତି ତା ସମର୍ପଣ ସର୍ବସ୍ଵତା
ଭିତରେ
ସେ ପହିଁରୁଛି ନଈ ।
