ଗରିବ
ଗରିବ
ରାଧେଶ୍ୟାମ ନାମ ଗରିବ
ଗାଁ ମୁଣ୍ଡରେ ଘର।
ଝୁପୁଡିଏ ଏକ ତୋଳିଛି
ଛାଇ ଟିଣ ଛପର।
ଖରା ବର୍ଷା ଶୀତ ସଭିଏଁ
ତାର ବଇରୀ ହେଇ।
ଋତୁ ଅନୁସାରେ ଆସନ୍ତି
ତାକୁ ବିଡିବା ପାଇଁ।
ଚିତ୍ତ ତା ଅଚଳ ,ଚଞ୍ଚଳ
ଥାଏ ସଦା କର୍ମରେ।
ମାଲିକର କାମ କରଇ
ଦୁଇଗୁଣା ଶକ୍ତିରେ।
ତଥାପି ନିଅଣ୍ଟ ପଡଇ
ତାର ବଡ ସଂସାର।
ବୁଢାବାପାମାଆ ଭଉଣୀ
ସଂଗେ ସ୍ତ୍ରୀ ପରିବାର।
ଔଷଧ ଖରଚ ରହିଛି
ବୃଦ୍ଧ ବାପା ମାଁଙ୍କର।
ଭଉଣୀର ଅଛି ବିବାହ
ପାଠପଢା ଛୁଆର।
ସ୍ତ୍ରୀର ଦାୟିତ୍ବ ଲଦିଛି
ଯେବେ ମୁଣ୍ଡ ଉପରେ।
କେମିତି ଅଦେଖା କରିବ
ଛିଣ୍ଡା ପିନ୍ଧୁଛି ଘରେ।
ଭାବିଲା ଦାଦନ ଯିବାକୁ
ଉପାର୍ଜନ କୁ ଧନ।
ସାଂଗସାଥୀ ଧରି ବିଦେଶ
ଗଲା ସେ କିଛିଦିନ।
କାହିଁରୁ ଆସିଲା ବିମାରି
କରୋନା ନାମତାର।
ଲକ୍ଷ କୋଟି ଲୋକ ମରିଲେ
ନଥିଲା ଉପଚାର।
ବିଦେଶରୁ ନିଜ ମାଟିକୁ
ଡାକୁଥିଲା ତା ମନ।
ଫେରିବାକୁ ଗାଡିମଟର
କିଛି ନାହିଁ ସାଧନ।
ପ୍ରଭୁଙ୍କ ଭରଷା କରିଣ
ମେଲିଦେଲା ଚରଣ।
ଭୋକ ଶୋଷେ ଯାତ୍ରା ଚାଲିଲା
କେତେ ସହି କଷଣ।
ପାଦରୁ ରୁଧିର ଝରଇ
ପଟି ବାନ୍ଧି ପାଦରେ।
ବାଳୁତକୁ ବାନ୍ଧି ପିଠିରେ
କିଏ ବେଗ୍ ଟ୍ରଲିରେ।
ପିମ୍ପୁଡିର ଧାର ପରିକା
ଦଳଦଳ ପ୍ରବାସୀ।
ଅଧାବାଟେ କିଏ ମରୁଛି
ଗୃହେ ନ ପାରି ଆସି।
ଛୁଆ ମରିଯାଏ ମାଆର
ବକ୍ଷେ ନାହିଁ ତା ଖୀର।
ମାଆ ଉପାସରେ ଆତୁର
କାହୁଁ ଝରିବ ଖୀର।
କେତେ ଯେ ଦାରୁଣ କାହାଣୀ
ଘଟିଗଲା ବିଶ୍ବରେ।
ଧନଜନ ହାନି ହେଇଲା
ଲୋକେ ବସିଲେ ଘରେ।
ରାଧେଶ୍ୟାମ ଫେରୁଥିଲାସେ
ମାତ୍ର ଅଳ୍ପ ରାସ୍ତାରେ
ଟଳିଗଲା ତାର ଶରୀର
ଟାଣ ଅଂଶୁ ଘାତରେ।
ଘରେ ଚାହିଁଥିଲା ସଂସାର
ଆସିବ ନେଇ ଧନ।
ଖବର ଆସିଲା ପାଖକୁ
ଚାଲିଗଲା ଜୀବନ।
ଅରକ୍ଷିତ ହେଲେ ପିଲାଏ
ବିଧବା ହେଲା ପତ୍ନୀ।
କୋଳଶୂନ୍ୟ ହେଲା ମାଆର
କାନ୍ଦନ୍ତି ଦିନରାତି।
କେତେଦିନ ଆଉ ଦାଦନ
ଖଟି ଜୀବନ ଯିବ।
ନିଜ ଗାଆଁ ମାଟିରେ ଥାଇ
ତାଙ୍କୁ କାମ ମିଳିବ।
