STORYMIRROR

NIBEDITA MOHAPATRA

Fantasy

3  

NIBEDITA MOHAPATRA

Fantasy

ଗୋଲାପ

ଗୋଲାପ

1 min
250


ଆଗୋ ସୁକୁମାରୀ ଗୋଲାପର କଢି

ତୁମେ ସ୍ବର୍ଗ ଅପସରୀ

ରୂପରେ ଗୁଣରେ ଅନୁପମା ହୋଇ

ସାଜିଛ ମୋ' ମନ ପରୀ।


ରକ୍ତିମ ଆଭାରେ ସଜ୍ଜିତ ସେ ତନୁ

କି ଅପୂର୍ବ ଶୋଭା ଦିଶେ

କଣ୍ଟକିତ ଶର୍ଯ୍ୟା କୋଳରେ ବି ଥାଇ

ଓଠରେ ହସ ଝଲସେ।


ଉପବନେ ପ୍ରସ୍ଫୁଟିତ ଯେତେ ଫୁଲ

ତୁମ ସମ କେ ନୋହିବେ

ଅପରୂପ ସେଇ ସୌନ୍ଦର୍ଯ୍ୟ ସୁଷମା

କିଏ ନ ବର୍ଣ୍ଣି ପାରିବେ।


ପାଇବାକୁ ତବ କୋମଳ ପରସ

ପ୍ରଗଳ୍ଭ ସେ ପ୍ରଜାପତି

ଗୋଲାପ ବନର ଚର୍ତୁପାର୍ଶ୍ବେ ଭ୍ରମି

ନିବେଦନ କରେ ପ୍ରୀତି।


ଶୀତ ସକାଳରେ ଉଦିତ ତପନ

ବିଚ୍ଛୁରିତ କରି ଆଭା

ମୁକ୍ତା ଝରା ଶିଶିର ସିକ୍ତ ଦଳର

ଦ୍ୱିଗୁଣିତ କରେ ବିଭା।

 

କେବେ ସାଜି ଶାଶ୍ଵତ ପ୍ରେମ ପ୍ରତୀକ

ପବିତ୍ର ସମ୍ପର୍କ ଗଢ

ପ୍ରେମିକ ପ୍ରେମିକା ଦୁଇ ହୃଦୟକୁ

ବିଶ୍ବାସ ସୂତାରେ ଯୋଡ।


କେବେ ତୁମେ ଶୋଭା ବର୍ଦ୍ଧନ କର

ତୋଡାରେ ହୋଇ ଶୋଭିତ

ଜୀବନକୁ ଧନ୍ୟ କର ପୁଣି ହୋଇ

ପ୍ରଭୁ ପାଦେ ସମର୍ପିତ।


ସଜ ସଜ ଫୁଟା ତୁମରି ସ୍ବରୂପ

ମଣ୍ଡ‌ଇ ପ୍ରେୟସୀ ଗଭା

ପରିପକ୍ବ ତୁମ ରୂପର ବିଭବ

ମଧୁଶାଳା ପୁର ଶୋଭା।


ଅନ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ

ସେହି ସୁଖ ନ ମିଳ‌ଇ 

ଯେଉଁ ଆନନ୍ଦ ଲଭ ସହୀଦ ଗଳେ

ପ୍ରଲମ୍ବିତ ତୁମେ ହୋଇ।


କଣ୍ଟା ପରିସରେ ରହି ସତର୍କରେ

ଶିଖାଇଲ ଦୁନିଆଁକୁ

ସମ୍ପଦ ସାଥିରେ ଥାଏ ଯେ ବିପଦ

ଜଗିରଖି ଚଳିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy