ଗୋଧୂଳି ....୨
ଗୋଧୂଳି ....୨
ସମସ୍ତଙ୍କର ଫେରିବା ବେଳେ
ଏ ସମାଜର "ମୁଁ " ଭାବ କିନ୍ତୁ ଆଗେଇ ଚାଲିଛି ।
ଆଗେଇ ଚାଲିଛି ସେ ଆହୁରି ଆଗକୁ
ମିଛ ଅହମିକା ତରଣୀରେ ସେ ଧାବମାନ ,
ମିଛ ଗରବକୁ କରିଛି କାତ ,
ଆଗେଇ ଚାଲିଛି ।
ତା ' ର ବିବେକ ଯେତେ ବି ପଛରୁ
ଡାକିଲେ ତାକୁ ଶୁଭୁନି ।
ଶୁଭୁନି ତାକୁ ସତ୍ୟ ର ପରିଭାଷା ।
ଭୁଲି ଯାଇଛି ସେ ତାର ଆଦ୍ୟକୁ ,
ଭୁଲି ଯାଇଛି ଅତୀତର ସ୍ଥିତିକୁ ।
କିଛି ଦିନର ଚାକଚକ୍ ରେ ସେ
ନିଜକୁ ଠିଆ କରେଇଛି ବରଫର ପାହାଡ ଉପରେ ।
ସେ ବୁଝୁନି ଟିକିଏ ସତ୍ୟ ର ତାପ ରେ
ତରଳିଯିବ ସେ ବରଫ ପାହାଡ ।
ନିମିଷକେ ହୋଇଯିବ ଧରାଶାୟୀ ।
ବୋଧହୁଏ ବୁଝିବାର ସାମର୍ଥ ଆଉ ନାହିଁ ।
ଆଉ ନାହିଁ ତା ପାଖେ ପରିସ୍ଥିତି କୁ
ସମୟକୁ ,ବିଶ୍ଳେଷଣ କରିବାର ଶକ୍ତି ।
ସେ ତ ଆଗେଇ ଚାଲିଛି ଅହଂଭାବର ନାବରେ ।
ଜାଣିନି ଅକାତ ପାଣିରେ କେଉଁଠି ସେ ହଜି ଯାଇପାରେ ,
ସଲିଳ ସମାଧି ପାଇପାରେ
ତା ' ର ଏ ମିଛ ଦୁନିଆର ବାଲିଘର ।
କିଏ ବା ବୁଝାଇବ ତାକୁ......
ଚେଇଁଛି ତ ସିଏ ,ତାକୁ ଉଠାଇବ ବା କିଏ ......
ନିଜର ବିବେକ କୁ ସେ ପାଦ ରେ
ଆଢେଇ ଦେଇ ବଢିଚାଲିଛି ।
ସେ ଜାଣିନି ଏ ପଥ କେଉଁ ମୋଡ ରେ ତାକୁ ହଜାଇଦେବ ମିଛ ଭଉଁରୀ ରେ
ତଥାପି ସେ ଆଗେଇ ଚାଲିଛି ଅହଂଭାବନାରେ ।
ତା ଜୀବନର ପଛ ପୃଷ୍ଠାର
ସଚ୍ଚୋଟତାର ଉକ୍ତି କୁ ସେ ଡଙ୍ଗା
ବନେଇ ଭସେଇ ଦେଇଛି
ତା ସ୍ବାର୍ଥ ର ନଦୀରେ ।
କୋଳ ରେ ହାତ ଠାରି ଡାକୁଛି
ତା ଅନ୍ତର୍ଆତ୍ମା ...........
ଆ ଚାଲି ଆ ଫେରି ........
ହେଲେ ତାକୁ ଶୁଭୁନି ।
ଶୁଭିବ ବା କେମିତି..........?
ତା କାନରେ ତ ଗୁଞ୍ଜରଣ ହେଉଛି
କେବଳ "ମୁଁ ' , "ମୁଁ " , "ମୁଁ " ,
ସେ ଜାଣି ପାରୁନି ଏ ଗରବ ର
ସତ୍ୟାସତ୍ୟକୁ........
ସେ ଜାଣିନି ହୁଏତ ଅତି ଗର୍ବେ
ପାଉଁଶ ରେ ପାଲଟିଥିଲା ଲଙ୍କା ।
ତା ଆଖି ଆଗରେ କେବଳ ତାସ୍ ର ସୁସଜ୍ଜିତ ଘର ,
ହେଲେ ତା କାନ ଶୁଣି ପାରୁନି
ହାଲକ୍ ପବନର ସଂସ୍ପର୍ଶରେ
ସେହି ତାସ୍ ଘର ର ଫଡଫଡ୍ ସହ ଭାଙ୍ଗି ଯିବାର ଶବ୍ଦ ।
ଏ ଗୋଧୂଳି ଘର ମୁହାଁ କରାଉଛି ସଭିଙ୍କୁ ......
କିନ୍ତୁ କେଜାଣି କେବେ ଘର ମୁହାଁ
କରାଇବ ସେ "ମୁଁ " ର ବଶବର୍ତ୍ତୀ
ଅତି ଅବୋଧ , ଅମାନିଆ ,ଅବୁଝା ମନକୁ ।