ଗୋଧୂଳି-୧
ଗୋଧୂଳି-୧
ଗୋଧୂଳି ସମୟରେ ରାସ୍ତା ଉପରେ
ଗୋ -ଗୋଷ୍ଠୀର ପାଦର
ଠକ୍ ଠକ୍ ଶବ୍ଦ
ଅବଗତ କରାଏ , ସାୟାହ୍ନର ଆଗମନକୁ ।
ଯଦି ମୁଁ ଶିବାଜୀ ହୋଇଥାନ୍ତି
ଭୂମିପରେ କାନ ଥାପି
ମାପି ପାରିଥାନ୍ତି ନିଶ୍ଚୟ ।
ଗୋ-ଗୋଷ୍ଠୀ ଏବଂ ମୋ ଭିତର ଦୂରତାକୁ ।
ହେଲେ ନା ମୁଁ ଛତ୍ରପତି ନା କାଳଜୟୀ,
ମୁଁ ତ ଛାର ପ୍ରକୃତିର ପ୍ରେମୀଟିଏ ।
ଯିଏ ସେ ଠକ୍ ଠକ୍ ଶବ୍ଦରୁ
ଏତିକି ଜାଣିପାରେ.......
ଏବେ ଘରକୁ ବାହୁଡିବା ବେଳ ।
ଦିନ ତମାମ୍ ର ଥକ୍କା ପରେ
ଗାଈ ଫେରିଯାଏ ,ମାଲିକ ପାଖକୁ ,
ଶହ ଶହ ପକ୍ଷୀ ଫେରିଯାନ୍ତି ନୀଡକୁ ।
ଭୂମିରୁ ନଭ ,ପୁଣି ନଭରୁ ଭୂମି
ଉଡି ଉଡି ଥକିଯାଏ ଯେବେ ଡେଣା
କିଛି ସମୟ ପାଇଁ......
ବିରାମ ଦିଅନ୍ତି ତାକୁ ।
କିନ୍ତୁ.........
ମୁଁ ଝୁଲୁଥାଏ ଭାବନାର ଦୋଳିରେ,
ପ୍ରକୃତି କୋଳରେ ......।
ଆଗ୍ନେୟଗିରି ରୁ ଲାଭା ଉଦ୍ଗୀରଣ ହୋଇ ,
ଲେଲିହାନ ହେଲା ପରି
ପଶ୍ଚିମ ଆକାଶ ହୋଇଉଠେ
ଲାଲ୍..... ସମ୍ପୂର୍ଣ୍ଣ ଲାଲ୍ ।
ଜନ୍ମ ,ମୃତ୍ୟୁ ,ଶାଶ୍ଵତ ସତ୍ୟ ପରି
ରବିଙ୍କର ଉଦୟ ,ଅସ୍ତ
ବି ଏକଦମ୍ ସତ ।
ସକାଳର ବାଳ ସୂର୍ଯ୍ୟ ସତ୍ୟ ପରି
ସନ୍ଧ୍ୟା ର ଏ ଅସ୍ତଗାମୀ ସୂର୍ଯ୍ୟ
ଆଉ ଏକ ସତ୍ୟ ର ପରିଚୟ ।
ସେ ସତ୍ୟକୁ ଦୁନିଆଁକୁ ଦେଖାଇବାକୁ ,ସତେ ଯେମିତି....
ପଶ୍ଚିମ ଆକାଶ ଲାଲ୍ ଚାନ୍ଦୁଆ ଟେ ବିଛାଇ ବସିଥାଏ ।
କିନ୍ତୁ..........
ମୁଁ ଭାବୁଥାଏ ଏଇ ଭାବନାର ଦୋଳିରେ
ଦୋଳୟମାନ ଗତିରେ
ଯାଇପାରନ୍ତି କି ସେଇ ଦେଶେ.....
ଯେଉଁଠି ଏ ସୂର୍ଯ୍ୟ ଲୁଚି ଯାଉଛନ୍ତି ।
ଯାହାର କିରଣ କୁ ସଳଖି ମୁଁ ଦେଖିପାରେନା ,
ତାକୁ କିଏ ଏମିତି କୋଳେଇ ନେଉଛି...?
କେତେ ଶକ୍ତିଶାଳୀ ହୋଇଥିବ ସେ
ଯିଏ ଜଗତକୁ ଆଲୋକିତ କରୁଥିବା
ପିଣ୍ଡକୁ ଅତି ସହଜରେ.....
ପଣତ କାନିରେ ଘୋଡାଇ ଦେଉଛି ।
ପୁଣି ଆସି ନାହାନ୍ତି ତ କେହି ହନୁମାନ ,
ଯିଏ ରାତ୍ରି ର ଏଇ କିଛି ପ୍ରହର ସେ
ସୂର୍ଯ୍ୟ ଦେବତାକୁ ପାଟିରେ ଲୁଚାଇ ଦେଉନି ତ.........?
ଏଇ ଭାବନା ଦୋଳିରେ ମୁଁ କି
ଯାଇପାରିବିନି ସେଇ ଦେଶେ
ଯେଉଁଠି ବିଜ୍ଞାନର ଚମତ୍କାର ନୁହେଁ
ବରଂ ଭାବନାର ଆଧାରରେ
ଦେଖି ଆସନ୍ତି ଏ ସୃଷ୍ଟି ର ସେ
ଗୋଧୂଳିକୁ ଏକ ଭିନ୍ନ ନଜରରେ .....।
