ଗଣେଶାୟ ନମଃ
ଗଣେଶାୟ ନମଃ
ବିଘ୍ନ ବିନାଶକ ପ୍ରଭୁ ବିନାୟକ
ତୁମକୁ କୋଟି ପ୍ରଣାମ
ଆଶୀର୍ବାଦ କର ନିର୍ବିଘ୍ନରେ ହେଉ
ସଂସାର ସକଳ କାମ ।
ବିବାହ ହେଉବା ବ୍ରତଘର ହେଉ
ଯଜ୍ଞ କର୍ମକାଣ୍ଡ ହେଉ
ସବୁ ଶୁଭ କାମେ ତୁମକୁ ସୁମରି
ଶୁଭକାର୍ଯ୍ୟ କରିଥାଉ ।
ଭାଦ୍ରବ ମାସରେ ଶୁକ୍ଳପକ୍ଷରେ ହିଁ
ଚତୁର୍ଥୀ ତିଥିରେ ପ୍ରଭୁ
ତୁମେ ପ୍ରତିବର୍ଷ ଆବିର୍ଭାବ ହୁଅ
ଦେଖାଦିଅ ଭକତଙ୍କୁ ।
ଏକ ହସ୍ତେ ଥାଏ ପ୍ରିୟ ଖସାଲଡ଼ୁ
ଅନ୍ୟ ହସ୍ତେ ପଦ୍ମ ପୁଷ୍ପ
ଅପର ଦୁଇରୁ ଏକେ ପାଶାଙ୍କୁଶ
ଆରରେ ଦିଅ ଆଶିଷ ।
ତୁମ କଲ୍ୟାଣରେ ବିଦ୍ୟା ବଢ଼ିଥାଏ
ବଢ଼େ ପୁଣି ଯଶ କୀର୍ତ୍ତି
ତୁମକୁ ପୂଜନ୍ତି ଭକ୍ତ ପ୍ରତି ସ୍ଥାନେ
ରଖି ପ୍ରଭୁ ତୁମ ମୂର୍ତ୍ତି ।
ଗଣେଶଙ୍କ ପୂଜା ପଡ଼ିଲେ ପିଲାଏ
ହୋଇଥା'ନ୍ତି ଭାରି ଖୁସି
ବିଦ୍ୟାଳୟ ହତା ଗୃହକୁ ସଜେଇ
ପୂଜିଥା'ନ୍ତି ମିଳିମିଶି ।
ଶିବ ପାର୍ବତୀଙ୍କ ମନ ମାଳିନ୍ୟରେ
ଦେବୀ ବିତାଡ଼ିତ ହେଲେ
ଶଙ୍କରଙ୍କ କୋପ ଶାନ୍ତ ପାଇଁ ତପ
ଗୁମ୍ଫାରେ ପାର୍ବତୀ କଲେ ।
ଉମା ଅଙ୍ଗରାଗ ମଳୁକରୁ ଜାତ
ଗଣେଶ ଜଗିଲେ ଦ୍ଵାର
ଗୁମ୍ଫା ଭିତରକୁ ଯିବାକୁ ଶିବଙ୍କୁ
ବାଧା ଦେଲେ ବାରମ୍ଵାର ।
କ୍ଷୀଣକୋପୀ ଶିବ ଯୁଦ୍ଧେ ଗଣେଶଙ୍କ
କରିଲେ ଶିର ଛେଦନ
ପରେ ନିଜ ପୁତ୍ର ଜାଣି ଜୀବ ଦେଲେ
ଲଗାଇ ଗଜ ଆନନ ।
ଲମ୍ବୋଦର ତଥା ଗଜାନନ ତୁମେ
ବକ୍ରତୁଣ୍ତ ପରା ପୁଣି
ବହୁ କଥା ଶୁଣ ସଂକ୍ଷିପ୍ତରେ କୁହ
ତେଣୁ ପ୍ରଭୁ ତୁମେ ଗୁଣୀ ।
ଗଣେଶ ପୂଜାରେ ଆସ୍ଥାନ ପାଖରେ
ଖାତା,ବହି ରଖିଥାଉ
ନୂଆ ଜାମା ପିନ୍ଧୁ ପୂଜା ଶେଷ ଯାଏଁ
ଉପବାସ ଆମେ ରହୁ ।
ମିଳିମିଶି ବସି ପ୍ରସାଦ ଖାଇବା
ଅମାପ ଆନନ୍ଦ ଦିଏ
ପିଆଜ,ରସୁଣ ପଡ଼େନି ଖାଦ୍ୟରେ
ସବୁଠି ଅରୁଆ ହୁଏ ।
ମଦପିଇ ଡିଜେ ବଜାଇ ଗଡ଼ିବା
ଛାଡ଼ ମନ୍ଦ ପରମ୍ପରା
ଗଣେଶ ପୂଜାକୁ ପାଳ ଭକତିରେ
କୋଣ ଅନୁକୋଣେ ପରା ।
