ଗିରିଜା ନନ୍ଦନ
ଗିରିଜା ନନ୍ଦନ
ଗିରିଜା ନନ୍ଦନ
ଆହେ ଗଜାନନ
ମୋ' ଗୁହାରି ବାରେ ପ୍ରଭୁ ଶୁଣ,
ବିଦ୍ୟାର କୁବେର
ଆହେ ବିଘ୍ନେଶ୍ୱର
ଡାକି ଡାକି ଗଲା ମୋର ପ୍ରାଣ l(1)
ଅଜ୍ଞାନ ବାଳକ
ଡାକୁଛି ଅନେକ
ଶୁଭୁ ନାହିଁ ପ୍ରଭୁ ଯେ ତୁମକୁ,
ଲୋଡ଼ାନାହିଁ ମୋର
ଧନର ଭଣ୍ଡାର
ଦିଅ ମୋତେ ବିଦ୍ୟାର ଧନକୁ l(2)
ମୂରୁଖ ମୁଁ ଅଟେ
ସବୁରି ନିକଟେ
କହିବାକୁ ଲାଜ ଲାଗେ ମୋତେ,
ପିଲାଏ ଚଳାନ୍ତି
ଗୁରୁଜୀ କହନ୍ତି
ଧିକ ତୋ' ଜୀବନ ଆଉ ତୋତେ l(3)
କେତେ ନିନ୍ଦା ଶୁଣି
ବଂଚିଛି ମୁଁ ପୁଣି
ବତାଇ ଦିଅ ପ୍ରଭୁ ହେ ରାହା,
ତୁମେ ନ ଶୁଣିବ
ଦାଣ୍ଡେ ନ ଦେଖିବ
ବିଷ ହେବ ମୋ' ପାଇଁ କି ସାହା l(4)
ରଖିଲେ ତ ରଖ
ନ ରଖିଲେ ଦେଖ
କୃପା ଦୃଷ୍ଟିରେ ପ୍ରଭୁ ହେ ଥରେ,
ହୋଇବ ସାର୍ଥକ
ମୋ' ଜୀବନ ଯାକ
ପାଇ ତୁମରି ଆଶୀର୍ବାଦରେ l(5)
