ଘୁଷୁରୀକୁ ପାଚିଲା କଦଳୀ
ଘୁଷୁରୀକୁ ପାଚିଲା କଦଳୀ
ଘୁଷୁରୀର ଭଲା କି ଦୋଷ ଅଛି
କାହିଁକି ଶୁଣିବ ଗାଳି
ପାତ୍ରତା ଚିହ୍ନିବା ଦାତାର କର୍ତ୍ତବ୍ୟ
ସିଏ ତ ପଶୁ ଅଜ୍ଞାନୀ ।
ପ୍ରକୃତି ତାହାର ପଙ୍କରେ ଲୋଟିବା
କରିବା ଅମେଧ୍ୟ ଗ୍ରାସ
ପାଚିଲା କଦଳୀ ନୁହେଁ ତା ଆହାର
କରିବନି ମୋଟେ ସ୍ପର୍ଶ ।
ସିଏ ମୁଢମତି ବୁଝିଛି ଏତିକି
ମୂଳ ସ୍ୱଧର୍ମ ପ୍ରକୃତି
ବିଶ୍ୱାସ ମହତ୍ତ୍ଵ ସ୍ଥାବର ଜଙ୍ଗମ
ଇତର ପ୍ରାଣୀ ବୁଝୁଛି ।
ନ ଥାଉ ପଛକେ ସାଧାରଣ ଜ୍ଞାନ
ଭଲ କିଛି ଗୁଣ ପଣ
ବୁଦ୍ଧି ହୀନ ଜନ ଦେଖାଏ ବଡିମା
ଅତି ଶ୍ରେଷ୍ଠ ଦାତା ପଣ ।
ଉତ୍ତାରେ ନକଲ ଆକୁ ତାକୁ ଦେଖି
ବୋଲାଏ ନିଜକୁ ଦକ୍ଷ
ଅର୍ଥ ବ୍ୟୟ କରି କିମ୍ବା ତୋଷାମଦେ
ଯୋଗାଡେ ପ୍ରଶଂସାତକ ।
ନିନ୍ଦନୀୟ ଦାତା ଘୁଷୁରୀ ଅପାତ୍ରେ
ପାଚିଲା କଦଳୀ ଦାନ
ସୃଷ୍ଟି ସାରସ୍ୱତ ସାହିତ୍ୟ ସୁନ୍ଦର
ଶୋଭନୀୟ ଜ୍ଞାନ ଗୁଣ ।
