ଘର
ଘର
ସଭିଏଁ କହିଲେ
କବାଟ ଉପରେ
ତା'ର ଅଧିକାର ନାହିଁ
ଝର୍କା କୁ ନିଜର କରି
ସେଇଠି ବିତେଇଲା କାଳକ
ବହି ଯାଉଥିବା ପବନ
ଝରି ଯାଉଥିବା ବର୍ଷା ll
ଲୁଚି ଯାଉଥିବା ଜହ୍ନ
ଘୁଞ୍ଚି ଯାଉଥିବା ସ୍ଵପ୍ନ
ସବୁକୁ ଧରିବାକୁ ବଢେଇଲା ହାତ
କୋଉ ଜଣାଥିଲା ତାକୁ
ପବନ ବହେ
ତା'ର ନିଶ୍ଵାସଠୁ କରଜ କରି
ବର୍ଷା ଝରେ
ତା'ର ଆଖି ଲୁହକୁ ପିଇ ସାରି
ଜହ୍ନ ଆସେ
ବନ୍ଧା ରଖି ବୟସକୁ
ସ୍ୱପ୍ନ ରଚେ
ଅନ୍ଧାର ଆସିଲା ପରେ ଦୁନିଆଁକୁ ॥
କବାଟ ଏପଟେ ଘର
ସେପଟେ ସାତକୋଶିଆ କୁମ୍ଭୀର ବୋଲି
ସବୁ ଇଚ୍ଛା ଓ ସମୟକୁ
ଅନାହୁତ ଛୁଆଁ ଦେଇ
ପାଟ ଓଢଣିରେ ଲୁଚେଇ
ଫୁଲରେ ସଜେଇ ll
ଭୁଲିଗଲା ପରିଚୟ
ମାନିନେଲା ପରାଜୟ
କୋଉ ଜଣାଥିଲା ତାକୁ
ଛୁଆଁ ସବୁ କାମନାର ନିଆଁ
ପାଟ ତିଆରି ହୁଏ
ଆଙ୍ଗୁଠିର କୋମଳତାକୁ
କଠିନ କଲା ପରେ
ଫୁଲ ଫୁଟେ
ବିନ୍ଦୁ ବିନ୍ଦୁ ରକ୍ତକୁ
ମାଟି ପିଇଗଲା ପରେ ॥
ଏଇ କଣ ସତରେ ତା' ଘର
ଯେଉଁଠି ସେ ବଞ୍ଚିଥାଏ ଝରକା ଆଶ୍ରାରେ
ନିଜକୁ ପାଇବା ପାଇଁ
ରହିଥାଏ କାହା ଅପେକ୍ଷାରେ
କବାଟ ସେପାଖରେ ॥