STORYMIRROR

Swagatika Mishra

Tragedy

3  

Swagatika Mishra

Tragedy

ଘର କାନ୍ଦେ ଗୁମୁରି

ଘର କାନ୍ଦେ ଗୁମୁରି

2 mins
358


ନଡା ବନ୍ଧା

ମାଟି ଖୁନ୍ଦା

ଚୂନ ଲେସା

ରଙ୍ଗ ମଖା

ସରି ସରି ଆସୁଥିଲା

ଅଜଣା ଅପରିଚିତ ଇଲାକାଟା

ହଠାତ ନିଜର ନିଜର ବାସୁ ଥିଲା।


କେଇ ପାଦ ମାଟି

ଆଉ ଆକାଶ କୁ ସାକ୍ଷୀ ରଖି

ବାପାଙ୍କ ହାଡ ଭଙ୍ଗା ପରିଶ୍ରମ

ବୋଉ ର ମୁକୁଳା କାନ

ଜଳଖିଆ ବିନା ଭୋକ ଆଉଟୁ ପାଉଟୁ ପେଟ

ଅନିଦ୍ରା ରାତି

ଖଇଫୁଟା ତାତିର

ମୂଲରେ ଠିଆ ହେଇ ଥିଲା ସେ

ଗାଁ ଶେଷ ମୁଣ୍ଡ ରାସ୍ତାକଡ଼ ବିଲରେ।


ବାପା ବୋଉକୁ ଚାହିଁ କହୁଥିଲେ

ଦେଖିବୁ ଲୋ,

ପରିଶ୍ରମ ର ରଙ୍ଗ

ଭଲ ପାଇବାର ବାସ୍ନା

ଆନ୍ତରିକତା

ଆଉ ସ୍ନେହ ଶ୍ରଦ୍ଧାର ଗଣ୍ଠିରେ

କେମିତି ମଜବୁତ ହେଇ ଉଠିବ

ଆମ ନଡା ଛପର ଘର ଖଣ୍ଡକ।

ମହାବାତ୍ୟା ବି ଭେଦି ପାରିବନି

ତାର ଦୁର୍ଭେଦ ପଥ

ଶଙ୍କା ସହ ଘର ଆଖି ବୁଲାଉଥିଲା

ତା ନବ ନିର୍ମିତ ଦୁର୍ବଳ ପଞ୍ଜରା ଆଡେ

ଅଣ୍ଟା ଭିଡୁଥିଲା

ଆଉ କାହାର ଅଣ୍ଟା ସଳଖିବା ପାଇଁ।


ସେଇ ଦିନଠୁ

ସେ ପିଠି ପେଟ ସମାନ କରି

ନିର୍ବିକାର ଭାବେ

ଆଦରି ନେଇଥିଲା

ବୈଶାଖର ତାତି

ବର୍ଷାର ରାତି

ଆଉ ଶୀତୁଆ ତିଥିକୁ।


ଖଣ୍ଡିଆ ଭୁତ ଆସେ

ଘୁରି ଘୁରି ତାରି ଚାରି ପଟେ ଉଡି ଉପରକୁ ଉଠେ

କେଇ କେରା ନଡାକୁ ଅଲରା କରି

ପୁଅ ମୁଣ୍ଡ ଚୁଟି ସାଉଁଳିବା ପରି

କିଏ ସାଉଁଳି ଦିଏ ଅଲରା ନଡା ସବୁକୁ

କେତେ ବତାସ ଆସି ଫେରିଲେଣି

ସେ କିନ୍ତୁ ସେଇଠି ଠିଆ ହେଇଛି

କୋଉ ଗୋଟେ ଅଦୃଷ୍ଟ ବିଶ୍ୱାସ କୁ ଭରଷା ଦେଇ।


ହଠାତ କୋଉ ଗୋଟେ ହିସାବ ଖୋଜାରେ

ଖୋଲା ହେଲା ହିସାବ ଖାତା

ତା ପରେ ଭାଗ ବଣ୍ଟା

କୋରି ନେଉ ଥିଲେ ତା ମାଂସ

ବାହାରେ ଝଡ଼ ନାହିଁ

ତଥାପି ଥରୁଥିଲା ଘର

ଲୋଡୁଥିଲା ଆଶ୍ରୟ ଆଉ କାହାର

ବୃଦ୍ଧ ଶାହାଜାହାନ ହେଇ ସାରିଥିଲା ବନ୍ଦୀ

ଔରଙ୍ଗଜେବ ର ତଲବାରୀ ମୁନରେ

କେଇ ମୁହୂର୍ତ୍ତ ଭିତରେ

ମନ୍ଦିର ବଦଳୁ ଥିଲା ମଶାଣୀ ରେ

ଘଣ୍ଟ ବଦଳରେ ଖାଲି ଯୁଦ୍ଧ ର ବିଗୁଲ

ଧୀରେ ଧୀରେ ନିଷ୍କ୍ରିୟ ହେଇ ଆସୁଥିଲା

ଘରର ମେରୁଦଣ୍ଡ

ଆଖି ବି ଜୂଉ କସୁଥିଲା

ଆଖି ପତାର

ଲିଭି ଆସୁଥିଲା ବିଶ୍ୱାସର ବତୀ

ଆଉ ତା ପରେ

ଖାଲି କିଟ କିଟ ଅନ୍ଧାର।


ସିନ୍ଦୁରା ଫାଟିଲା

ଫାଟି ଯାଇ ଥିବା ଫୁଲ କୁଣ୍ଡର କୁସୁମ ଗଛ ସହ

ଘର ବି ହେଇ ଯାଇ ଥିଲା ବେଘର

କଂକଳାରେ ମାଉଁସ ଲେସିବା ପାଇଁ

ଲଢୁ ଥିଲା ସେଇ ଛିଞ୍ଚାଡି ହେଇ ପଡି ଥିବା ମାଟିରେ

ନିଜର ଅସ୍ତିତ୍ବ ଖୋଜି

ଅତୀତ କୁ ଭାବି

ଗୁମୁରି ଗୁମୁରି କାନ୍ଦୁଥିଲା

ମାଲିକ ର ଶେଷ କାଲୁଆ ସ୍ପର୍ଶ

ତାକୁ ବନେଇ ଦେଇ ଥିଲା ନିମକ ହରାମ

ବିଶ୍ୱାସ ର ବାରମାସୀ ଚାଷ ରେ

ଫଳିଥିଲା ଅବିଶ୍ୱାସର ଫଳ

ଫୁଟି ଥିଲା କ୍ଷୁଦ୍ର ସ୍ୱାର୍ଥର ଫୁଲ।

ବିଚରା ଡାଳଟା କେତେ ଆଉ ସହିଥାନ୍ତା ଯେ!


ଆଉ କିଛି ଦିନ ଉତ୍ତାରେ

ପୁଣି ନିହାଣ ମୁନର ଠକ ଠକ ଶବ୍ଦ

କାରିଗରର ଲମ୍ବା ତାଲିକା

ବାଲି ସିମେଣ୍ଟର

ଶଙ୍ଖ ମଲ ମଲ କୋଠା

ଆକାଶ ଛୁଆଁ

ହେଲେ,

ବାପା ଙ୍କ ଆକଟ ଛାତ

ଆଉ ବୋଉ ର ଝଡ଼ବାରେଣି ପଣତ ବିନା

କୋଠା କଣ ଘର ହେଇ ପାରେ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy