STORYMIRROR

Swagatika Mishra

Others

2  

Swagatika Mishra

Others

ଆହତ ଦୈବୀ ଶକ୍ତି

ଆହତ ଦୈବୀ ଶକ୍ତି

1 min
13.8K


---ଆହତ ଦୈବୀ ଶକ୍ତି---


କାହିଁକି ଦେବୀ

ଏ ଦୈବୀ ଆଖିରେ

ଆହତ ଦୈବୀ ଶକ୍ତିର ସ୍ପଷ୍ଟତା,

ସେ ସ୍ମିତ ହାସ୍ୟର ପରିଧି ଭିତରେ

କେଉଁ ଗହନ ଦହନକୁ

ପ୍ରଶମିତ କରିବାର ଅଦମ୍ୟ ଇଛାରେ

ଉକୁଟି ଉଠୁଛି

ସ୍ଥିର ମୁଦ୍ରାରେ ବି ଏତେ ବିବଶତା!


ଓଠର ଦୁଇ ଧାର ପ୍ରସାରଣ

ସବୁବେଳେ ହସ ହେଇ ନ ଥାଏ ଦେବୀ!

ଆଖି ର ଔଜଲ୍ୟତା,

ଦଶ ଭୁଜାରେ ଅସ୍ତ୍ର ଧାରଣ ଅବା

ଓଠରେ ହାସ୍ୟ ଭଙ୍ଗ ଭିତରେ ଵି

ସ୍ପଷ୍ଟ ଅନୁମେୟ ତୋର ଯନ୍ତ୍ରଣା

ତେବେ କେଉଁ ମନ୍ତ୍ର ରେ ଆଜି ତୁ ମନ୍ତ୍ରମୁଗ୍ଧ!


କାଶତଣ୍ଡିଟା ରକ୍ତର ଛିଟାରେ

କଣ ଶୋଭା ପାଉଛି?

ନା ତୋ ପାରିବା ପଣିଆ ଉପରେ

ଆଉ କିଏ ଠୋ ଠୋ ହସୁଛି?

ବୋଧ ହୁଏ ଅତୀତ।

ଅତୀତ ବିଜୟ ଛାତିରେ

ବର୍ତ୍ତମାନ ପରାଜୟର ନାରାବାଜି

ତତେ ଆଙ୍ଗୁଠି ଦେଖେଇ ତାସ୍ଚଲ୍ୟ କରେ ଦେବୀ!

ଆଉ ତୁ ତୋ ଆଙ୍ଗୁଠି ସବୁକୁ ବିଶ୍ରାମ ବାଣ୍ଟୁଛୁ

ଆଶୀର୍ବାଦ ମୁଦ୍ରାରେ।

ଏଇଟା ଆଶୀର୍ବାଦ ନା ଅଭିଶାପ ଦେବୀ?


ଆଖି ଲାଗି ଯାଇ ଥିବା

ଦେବୀ ଆଖିକୁ ଖୋଲି ଦେଖ୍ ଥରେ,

ତୋର ବିଶେଷ ପୂଜାରେ ସେ ଆଜି ସାମିଲ

ଯାହା ପାଇଁ ତୁ ଦିନେ

ବାରି ଥିଲୁ ବସନ ଆଉ ଭୂଷଣ

କରି ଥିଲୁ ମହିଷମର୍ଦନ।


ବାରି ପାରୁଛୁ ଦେବୀ!

ଆଜି କେମିତି ବଂଶ ବିସ୍ତାରି

ଛାତିରେ ହାତବାଡେଇ ସେ ହସୁଛି,

ଏ ହସ ତ

ସେଦିନ ହସ ଠାରୁ ଆହୁରି ବିକଟାଳ

ଆହୁରି ଭୟଙ୍କର

ହେଲେ ତୋ ଆଖିରେ

କାହିଁ ସେ ରଣ ହୁଙ୍କାର!

ସେ ଦୁଷ୍ଟ ନାଶନ ର ପଣ!

ସୃଷ୍ଟି ଉଧାର ର ବଧପରିକରତା

ଏଇ ଧୂପ ଦୀପ ଝୁଣା ର ସମ୍ମୋହନରେ

ହେଲୁକି ତୁ ସମ୍ମୋହିତା?


ଟିକେ ନିରିଖି ଦେଖ୍ ଦେବୀ!

ସିନ୍ଦୁକ ସାଇତା ଶକ୍ତିକୁ

ଭୟ ର ବେଡିରୁ ମୁକ୍ତ କର

ଅନ୍ତର୍ନିହିତ ଅଭୟକୁ,

ଏମିତି ମନ୍ତ୍ର ମାୟା ରେ

ମୃଣ୍ମୟୀ ମୂର୍ତ୍ତିର ର ସ୍ଥାଣୁ ଯନ୍ତ୍ର ପାଲଟି ଯାଆନି

ବେଳ ଥାଉ ନିଜକୁ ମୁକୁଳା ଦେବୀ!

ତୋ ଅସ୍ତ୍ରର ଧାର ବୁଲିବା ଆଗରୁ

ପାଦ ଦ୍ୱୟ କୁ ଶକ୍ତ କରି

ପୁନର୍ବାର ପ୍ରାପ୍ତ କର ସେଇ ଦୈବୀ ଶକ୍ତିକୁ।

ଆଉ ପୁନରାବୃତ୍ତି କର ଇତିହାସକୁ।


ନିଜେ ଲଙ୍ଗଳା ନ ହେଲେ

ମହିଷାସୁର ବଧ କଣ କରିହୁଏ!!


By Swagatika mishra


Rate this content
Log in