STORYMIRROR

Swagatika Mishra

Others

3  

Swagatika Mishra

Others

ମାଟିରୁ ଆକାଶ

ମାଟିରୁ ଆକାଶ

1 min
403


ମାଟିରୁ ଆକାଶ

ଯୋଜନ ଯୋଜନର ବ୍ୟବଧାନ।

ସେ ଜାଣେ

ତୋ ପାଖେ ତାର ପହଁଚ

ସୁଦୂର ଅପହଞ୍ଚ ଇଲାକାର

ପାରିଜାତ ସ୍ବପ୍ନ ମାତ୍ର,

ତଥାପି କାହିଁକି

ଦେଖେ ସିଏ

କୁଢ଼ କୁଢ଼ ସପନ!

ଗୁନ୍ଥେ ସିଏ

ପେନ୍ଥା ପେନ୍ଥା ଆଶାର ଫୁଲ ସବୁ!

ଭଲ ପାଏ ସିଏ

ତୋ ଦେହର ନୀଳ ନୀଳ ରଂଗକୁ!

ଉଡେ ସିଏ

ପଡିବାର ସ୍ଥିରତା ଜାଣି!

ସେ ଜାଣିଚି

ତୋ ଠିକଣା ଖୋଯିବା, ନିଜକୁ ଠକିବା ଏକା କଥା

କୋଉ ସେପାରିର

ଅଭିସପ୍ତ ଆକାଂକ୍ଷାଟେ ମାତ୍ର

ତଥାପି ଅନିଶ୍ଚିତ ଆଶାର ଫୁଆର ନେଇ

ବୁକୁ ମେଲେଇ ପ୍ରତୀକ୍ଷାରେ,

ଭୋଗି ଚାଲେ

ପ୍ରତ୍ୟକ ବିଲିତା

ବିରହର ମୃଦୁ ଯନ୍ତ୍ରଣା।

ରାତିରେ ତୋ

ଜ୍ୟୋତ୍ସ୍ନା ପଖଳା ହସରେ

ସେ ବିଭୋର ହୁଏ

ଦୀପାଳି ସଜାଏ

ଜାଣିଵି ରାତି ଗୋଟାକର ଫରକ ପରେ

ପୁଣି ତାକୁ

ତିନ୍ତି ବାକୁ ହେବ

ନିଆଁର ଝୁଲରେ।

ଆହୁତି ବାଢ଼ିବାକୁ ପଡିବ

ସେଇ ଦୀପାଳି ସଳିତାଟେ ପରି

ତଥାପି ସେ ଖୋଜେ

ସେଇ ନିର୍ଦୟ ଜଳନ୍ତା ଝୁଲରେ

ପଉଷର ପରଶ

ଝଡକୁ ଜାବୁଡ଼ି ଧରି

ବିଶ୍ୱାସରେ ଖୋଜିବୁଲେ

ନିଶ୍ୱାସର ଠିକଣା

ଆଉ ଗୋଟେ ଜ୍ୟୋତ୍ସ୍ନାସ୍ନିକ୍ତ ରଜନୀର କାମ୍ୟରେ।

ସେ ଉପଭୋଗ କରେ

ତୋର ମାନ ଅଭିମାନ

ଆଉ ତମାମ ଖୁମାଣକୁ;

ନୀରବରେ ବତୁରି ଯାଏ

ତୋ ଚିବୁକକୁ ଛୁଇଁ

ଝରି ଯାଉଥିବା ଶ୍ରାବଣର ଧାରାରେ

ଫାଟି ଆଁ ମେଲେଇ ଦିଏ

ତୋ ସେଥୁଆ ମୁଁହଟାକୁ ଦେଖି,

କେବେ କେବେ ସହେନି ତା ଦେହ

ତଥାପି ତୁଟେଇ ପାରେନି ମୋହ

ଦିନ ବଢେ ରାତି ସରେ

ସେ ବଞ୍ଚିବାକୁ

ଖୋଯିନିଏ ଆଉ ଗୋଟେ ସକାଳ

କେବେଳ ତୋ ସହ ଥିବା

ଅଦୃଶ୍ୟ ଅତୁଟ ମୋହକୁ ସାଉଁଟି

ନିଜକୁ ଆଉଟି ଦିଏ

ଦି ପ୍ରହରର ପ୍ରଚଣ୍ଡ ଖରାରେ

ପିଠି ଦେଖେଇ

ଚାବୁକ୍ ଖାଏ

ହିସାବ ଦିଏ

କଡା ଗଣ୍ଡା କରି

ତା ନୀରବ ପ୍ରେମର।

ସେ ଭଲ ଭାବରେ ଜାଣିଛି

ସମାନ୍ତର ସରଳ ରେଖା

ଲମ୍ବି ସିନା ପାରେ

ହେଲେ ଛୁଇଁବା କୋଉଠି ତା ଭାଗ୍ୟରେ ଅଛି?


Rate this content
Log in