STORYMIRROR

Swagatika Mishra

Tragedy

3  

Swagatika Mishra

Tragedy

ନିୟନ୍ତ୍ରିତ ଉପହାର

ନିୟନ୍ତ୍ରିତ ଉପହାର

2 mins
479



ସାତ ପରସ୍ତ ଗାଢ଼ ଅନ୍ଧାର ତଳେ

ମୋର ଏହି ସ୍ବେଦ ମିଶା ବହଳିଆ ମୁହଁ

ରକ୍ତ ମାଂସର ଚମଡା ଢ଼ଙ୍କା ଖୋଳ ଭିତରେ

ମୋର ଏଇ ଦେହ ନଥିବା ଦେହ।

ପ୍ରିୟତମ!

ତୁମେ କହି ପାର

ରାତି ପାଇଁ ସଜୁଥିବା

ମୁଁ ଗୋଟାଏ 'ସେଇଷ' ରାତିର

କିନ୍ତୁ ତୁମେ ତ ସଁଅପି ଥିଲ ଏଇ ନିଆରା ଉପହାର।


ପ୍ରିୟତମ ତୁମେ ଦେଇ ଥିବା

କୂଳଟା ର ମୋହର

ମୋ ଦେହରେ

ମନରେ

ଯୋନିରେ

କଟିରେ

ଛାତିରେ

ଛାପି ସାରିଛି

ତୁମେ ସଜେଇ ଥିବା ଗଜରାର ଖଣ୍ଡରେ

ଆଜି ମତୁଆଲା ଆଉ କିଏ ସାଜିଛି

ତୁମେ ମତେ ନିର୍ଲଜି ଅବା ନିଲଠି ବୋଲି କହିପାର

ହେଲେ ପ୍ରିୟତମ!

ଏଇ ନିଲଠି ର ଅଠାପଣ ଦିନେ ତୁମେ ତ ବୋଳିଥିଲ।


ଦୁଇଟୋପା ତତଲା ଲୁହକୁ ବି

ଡରଲଗେ ମତେ

ନିଗାଡି ଦେବାକୁ

କାଳେ ଷ୍ଟେରିଲାଇଜ କରିଦେବ

ମୋର ଏଇ ଗୋଲାପୀ ଗାଲ

ଯେଉଁ ଠାରେ ତୁମେ ଦିନେ ଆଙ୍କି ଥିଲ

ଚୁମ୍ବନ ର ମାନଚିତ୍ର।

କରୁଥିଲ ଏକ ଛତ୍ରବାଦୀ ଶାସନ

ତୁମ ଓଠର ନିହାଣ ରେ

ଗଢିଥିଲ ପ୍ରେମର କୋଣାର୍କ

ପ୍ରିୟତମ!ତୁମେ ଗଲା ପରେ ପରେ

କାନ୍ଦିବାକୁ ବି ମୁଁ ଡରେ।


ଏବେ ଏବେ ଫେରି ଯାଇଛି ପ୍ରେମୀମାନଙ୍କ ର ଦିବସ

ବଜାର ରେ ସଦ୍ୟ ଗୋଲାପ ର ଚଢା ଦର

କେତେ କିଣା ବିକା ମୂଲ ଚାଲ

ତୁମ ପରି କେତେ ଜଣ ଭାଗ୍ୟବାନ ସୌଦାଗର

ଯୋଡି ହେଇ ଫେଡ଼ିବାକୁ ପଛେଇ ନଥିବେ

ନିଶ୍ୱାସ ଆଉ କାହାର।


ପ୍ରିୟତମ!

ମୁଁ କିନ୍ତୁ ଅହର୍ନିଶ ଫେଡ଼ିଚାଲିଛି

ଜୀବନ ବହିରୁ ଆୟୁଷ ର ପୃଷ୍ଠା

ତୁମ ଇଛାର ଟୋପିରେ

ଯୋଡିବାକୁ ଆଉ ଗୋଟାଏ ପର

ଲୋକେ ଟୁପ ଟାପ ହେଲେଣି

ସ୍ମୃତିସଂଲଗ୍ନା ସୌଧର ଚାରିକାନ୍ଥ ଭିତରେ

ମୁଁ କାଳେ ପ୍ରୀତିମଗ୍ନ ହେଇ

ଏବେ ଏବେ ପଡିଲିଣି ନୀଳ ମୋହରେ।


ପ୍ରିୟତମ ତୁମେ ତୁମ ଉପହାର ବଦଳରେ

ମାଗି ଥିଲ ଆଲୁଅ ମେଞ୍ଚାଏ

ଆଉ ଦେଖୁନ!

ଆଲୁଅ ବାଣ୍ଟିବାକୁ ଯାଇଁ ମୁଁ କେମିତି

ବନ୍ଧା ପକେଇ ଦେଲି

ମୋ ହସର କିଆରି ଖଣ୍ଡକ

ମୋ ଆଖି କଣରେ ଉଇଁ ଆସୁଥିବା ସୁରୁଜକୁ

ରାଣ ଦେଇ

ପତା ତଳେ ଢାଙ୍କି ସାରିଛି

ଖାସ ତୁମ ପାଇଁ

ଜାଣିଲା ପରେ

ମୁଁ କାଳେ ତମ ଜୀବନର ଗୋଟେ

ଅମାବାସ୍ୟାର ପ୍ରହର।


ପ୍ରିୟତମ!

ଏଇଟା କିନ୍ତୁ ମୋ ତରଫରୁ ତୁମପାଇଁ ଶେଷ ଉପହାର

ମୋର ହେଇ ନଥିବା ମୋ ଜୀବନର ନଟେଇସାଜି

ମତେ ଉଡାଉଥିବା

ଏଇ କେଇ ହାବୁକା ପବନ

ଯିଏ ଯାଏ ଆସେ ତୁମ ନାଁରେ

ଚିହ୍ନ କେବଳ ତୁମକୁ

ସେ ବି ହେଇ ଆସିଲାଣି ଶିଥିଳ

ତୁମ ଆଲୁଅ ଆଉ ମୋ ଅନ୍ଧାର

ମଝି ର ପାଚିରି ଆକାଶ ଛୁଆଁ ବୋଲିତ

ମୁଁ ଆଜି ନୀଳ ମୋହରେ

ଆଉ ତୁମ ମନ ଗୋଲାପୀ କୁ ଝୁରେ।


ପ୍ରିୟତମ!ମୋର ଏହି ଅଣଲେଉଟା ଅନ୍ଧାର

ହେଇ ପାରେ

ନିୟତି ର ନିୟନ୍ତ୍ରିତ

ହେଲେ ତୁମ ପାଇଁ ମୋ ତରଫରୁ ଶ୍ରେଷ୍ଠ ଉପହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy