ଧୋକା
ଧୋକା
ମୋର ଦୃଢ ଅନିଚ୍ଛା ସତ୍ୱେ
ତୁ ଚେକା ମାରିଛୁ
ମୋ ଚାରିପଟେ।
ଅଢେ଼ଇ ଦିନର ପିଲାବେଳଟାରେ
ତୋ ସହ ନଥିଲା ଏ ପରିଚୟ,
ତୋ ଆଖିରେ ପାଇ ନଥିଲି
ମୋ ପାଇଁ ଥିବା ତୋର ବର୍ତ୍ତମାନର ମୋହ।
ହଠାତ୍ ତୁ ପଶି ଆସିଲୁ
ଶିକାରୀ ସାଜି ଶିକାର କଲୁ
ତତେ ବୁଝିବା ଆଗରୁ
ଛନ୍ଦି ହେଲି ତୋ ଜାଲରେ
ଆଦ୍ୟ ଯୌବନର ଆଲିଙ୍ଗନରେ
ତତେ ଭେଟିଥିଲି
ପ୍ରିୟର ପ୍ରତାରଣା,
ବନ୍ଧୁର ପାଣିସିଂଚା ଚେରକଟା ନୀତି,
ଆଉ ମଧୁ ବୋଳା
ବିଷାକ୍ତ ଜ୍ବାଳାରେ।
ପାଦ ଚିପି ଚିପି ଆସି
ତୁ ଧସେଇ ପସି ଯାଉ
ହାଥରେ ମୃଦୁରୁ ତୀବ୍ର
ଯନ୍ତ୍ରଣାର ଉପହାର
ନିଦ ହଜା, ନୀର ଭିଜା
ଅୟୁତ ଅନିଦ୍ରାର ପୀଡା
ସନ୍ତୁଳେଇ ଦେଉ
ଦେହ ଆଉ ମନ
ଛାଡ଼ି ଯାଉ ଅଲିଭା ଦାଗ ଟେ।
ନା ଲିଭେଇ ହୁଏ
ନା ଲୁଚେଇ ହୁଏ।
ସମସ୍ତ ଘଡି ସନ୍ଧି ମୁହୂର୍ତ୍ତରେ
ତୋ ସହ ଭେଟ,
ତୋ ଭାଗ୍ୟ ଅବା
ମୋ ଦୁର୍ଭାଗ୍ୟ ତା ମୁଁ ଜାଣିନି;
ହେଲେ ପ୍ରତ୍ୟକ ମୋଡ଼ରେ ମୋଡ଼ ବଦଳାଇ
ତୁ ଛଡେଇ ନେଉ
ମୋର ଜିତିବାର ବାଜି ଟାକୁ
ଆଉ ମୁଁ ସାଉଁଟି ଆଣେ
ମୋ ହାରିବାର ପରମ୍ପରାକୁ।
ଆଜି କିନ୍ତୁ ଦେହସୁହା
ସବୁ ତୋର ଯନ୍ତ୍ରଣା
ଯନ୍ତ୍ରବତ ଆୟତ୍ତ ସେ ସବୁ
ବୁଝିଲିଣି ଏବେ ଏବେ
ଆପଣା ସୁନା ତ ଭେଣ୍ଡି
ତୋ ଦେହରେ ଲେସା କାଇଁ
ତୁଚ୍ଛା ଉଲୁଗୁଣା!
ଆଜି ଉନ୍ମୁକ୍ତ ତୋ ପାଇଁ ଅତୀତର
ରୁଦ୍ଧ ପଥ ସବୁ,
ମନ ଇଛା ଆସ
ଖିନ୍ ଭିନ୍ କର ସବୁ ସ୍ବପ୍ନକୁ
ଉଡ଼େଇ ନେ ଭରସାର ନଡା ସବୁ
ମାଟିରେ ମିଶେଇ ଦେ ବିଶ୍ୱାସର ଦ୍ରୁମଟାକୁ।
ତଥାପି ଉଠିବି ମୁଁ
ଗଲା ଥର ଭଳି,
ଆହୁରି ମଜବୁତ କରି ବୋଳିଵି
ଆତ୍ମବିଶ୍ୱାସର ରଜ୍ଜୁ ଟାକୁ
ପରିଶ୍ରମର ପାଣିରେ
ପଥରକୁ ବତୁରେଇ
ଅଂକୁରୋଦଗମ୍ ହେବ ବିଶ୍ୱାସ ବୀଜର
କିଏ ଜାଣେ କାଳେ
ଦୋଷ ଥିବ ମୋ ନିଜ
ଜଳବାୟୁର!
ଧୋକା!
ତତେ ଧୋକା ଦେଇ
ଉଡି ଯିବି ଆକାଶକୁ..
ଯିଏ ଦିନେ ବାଧ୍ୟ କରିଥିଲା,
ମାଟି କାମୁଡ଼ି ପଡ଼ିବା ପାଇଁ
ପଙ୍ଗୁ କରି ଦେଇ ଥିଲା
ଉଡି ବାର ମୋହ ସବୁ ଛେଦି ଦେଇ;
ମୁଣ୍ଡ ନୂଆଁ ସାଲିସ୍ ପୁଣି
ପରାଜୟ ପକ୍ଷ ପାଳନ ପାଇଁ
ତାକୁ ଧୋକା!
କଷ୍ଟ ହେବ ତ ନିଶ୍ଚୟ
ହେଲେ ଭୁଲ ବୁଝିବୁନି ମତେ
ତୋ ଠାରୁ ଜିତିବାର
ଏଇଟା ଶେଷ ରାସ୍ତା ପ୍ରାୟ।
By Swagatika Mishra
