ଆସ ଥରେ
ଆସ ଥରେ
ମହଣ ମହଣ ବହଳିଆ ଅନ୍ଧାରକୁ
ଛାତିରେ ଲେସିଦେଇ
ରାତିଟା ଆସିଛି
ସେଇ ସେପାରିର ଜହ୍ନ ସାଙ୍ଗେ
ଦିହରେ ପାଣିଚିଆ ହଳଦୀରଙ୍ଗଟାକୁ ମାଖି
ଶୂନଶାନ ଧୂନକୁ ଗାଈ
ଆସ ଥରେ!
ହଜିଯିବା ଏଇ ଶୂନଶାନ ଧୂନର ତାଳେ ତାଳେ।
ଝାପ୍ସା ଅଳସି ଜହ୍ନର ଆଲୁଅରେ
ମୁଁ ଦେଖୁଥିବି ତୋଫା ଜହ୍ନଟାକୁ
ଲାଜେଇ କଇଁ,
ମିଳନର ମହାର୍ଘ ମୁହୁର୍ତରେ
ନିଜ ଓଢଣା ଖୋଲୁଥିବ ଥିର ଥିର ହେଇ ।
ତମେ କିନ୍ତୁ ପୂର୍ଵାଵତ;
ରୋକଦେଇ ମୋ ଦୁଷ୍ଟାମି ଉପରେ
ମୋ ଆଖି ଦୁଇଟାକୁ ବୁଜି
ମତେ ଅଟକାଉ ଥିବ କଇଁ ଆଡ଼େ ଦେଖିବାକୁ |
ଜୁଡୁବୁଡୁ ହେଇ ଲାଜରେ।
ଅମାନିଆ ଅସଂଯତ ଇଚ୍ଛାର ଢ଼େଉଟା,
ବାଡେଇ ହେଇ ଦୁଷ୍ଟାମି କରୁଥିବ
ତୁମ ଆଉ ମୋ ଛାତି ତଳେ
ତୁନି ହୋଇ ଶୋଇବାର ବାହାନାରେ
ତୁମେ ହଜଉଥିବ ଠିକଣା ନିଦର
ଆଉ ତୁମକୁ ଖୋଜିବା ଭିତରେ
ମୁଁ ହଜୁଥିବି ତୁମ ପାଖେ ବାର ବାର |
ଆସ ଥରେ ସାଉଁଟି ନେବା
ଏଇ ମୁହୁର୍ତ୍ତକୁ
ଯେଉଁଠି ପବନର ସଇଁସାଇଁ ଶବ୍ଦ ସହ
ଯୋଡି ହେଉଥିବ ଆଉ କିଛି ଅକୁହା ଆବେଗ
ତୁମ ନା ଭିତରେ ହଁ ର ନୀରବ ଧ୍ୱନି,
ପଉଷର ଶୀତରେ ଉଷ୍ମତାର ଉଷ୍ଣ ପ୍ରସବଣ
ଆଉ ଶୁଖିଲା ଓଠର ଖୋଳପା ଭିତରେ
ଗୋଟେ ଅଜବ ଓଦାପଣ |
କିଏ ଜାଣେ!
କାଲି ଏଇ ରାତି ଆସିବ କି ନାହିଁ
ଜହ୍ନର ତୋରଣ ଟାଣି
ମଉନ କଇଁ ପାଇବ କି ନାହିଁ
ଠିକଣା ପ୍ରିୟର,
ପାଖୁଡା ଖୋଲିବା ଆଗରୁ
ଆକାଶ ବି ନାଇଁ ପାରେ ସିନ୍ଦୁର
ପରେ ଆଉ ଦୋଷ ଦେବନାହିଁ,
ଆଗରୁ କହିଲନି କାଇଁ ବୋଲି କହି |
ତୁମେ ତ ଶୁଣିଥିବ
ଅମାବାସ୍ୟା ତିଥି କଥା
ଆଉ ଜାଣି ଥିବ
ମେଘ ତଳେ ଜହ୍ନ ଚୋରିର ଚିରାଚରିତ ପ୍ରଥା |
