ଘାସଫୁଲ
ଘାସଫୁଲ
ଘାସଟିଏ ହେଇ ହେଲି ମୁଁ ଜନମ
ଏଇ ମାଟି ମାଆ କୋଳେ
ଦେଖୁଅଛି ନିତି ନୀଳ ଆକାଶକୁ
ଚାହିଁ ମୋର ବେନି ଡୋଳେ ।
ଧୀରେ ଧୀରେ ମୁହିଁ ଧରିତ୍ରୀରେ ବଢି
ସବୁଜରେ ଭରି ଗଲି
ଧଳା ନୀଳ ନାଲି ଫୁଟିଲା ଫୁଲ ମୋ
ଖୁସିରେ ଅଧିର ହେଲି ।
ବାସନା ବିହୀନ ଘାସ ଫୁଲ ବୋଲି
ମନେ ମୋ ଶୋଚନା ନାହିଁ
ସୁନ୍ଦର ସବୁଜ ଘାସ ଗାଲିଚାରେ
ସୌନ୍ଦର୍ଯ୍ଯ ଦିଶଇ ମହୀ ।
ନର ପାଇଁ ସିନା ଅଲୋଡା ଟିଏ ମୁଁ
ଧରଣୀର ରୂପ ରାଣୀ
ମୋ ଦେହରେ ବସି ଟିକି ପ୍ରଜାପତି
କହେ ତା ପ୍ରେମ କାହାଣୀ ।
ମୋ ଉପରେ କେତେ କଙ୍କି ବସି ଥାନ୍ତି
ଝିଣ୍ଟିକା ଯେ ଡେଉଁ ଥାଏ
ସେଇ ଅନୁଭୂତି କେତେ ଶାନ୍ତି ଦିଏ
ଦୁଃଖ ମୋର ଭୂଲି ଯାଏ ।
ମୋ ଉପରେ ପାଦ ରଖି ଏ ମଣିଷ
ନିତି ବାଟ ଚାଲୁ ଥାଏ
ଦଳି ଦିଏ ପଛେ ପାଦରେ ସେ ମୋତେ
ମୁଁ ତାଙ୍କୁ ଭଲ ପାଏ ।
ବରଷାର ଧାରା ଭିଜାଏ ମୋ ଦେହ
ତା ସ୍ପର୍ଶରେ ବଢୁଥାଏ
ଖୋଲା ଆକାଶର ତଳେ ରହି ମୁଁ
ତା ପ୍ରେମେ ବିଭୋର ହୁଏ ।
ଘାସ ଫୁଲ ବୋଲି ନାହିଁ ଅବଶୋଷ
ନାହଁ ମୋ ମନରେ ଦୁଃଖ
ବିଧାତା ମୋ ଦେହେ ଭରିଛି ସୁଗୁଣ
ସେଇତ ମୋହର ସୁଖ ।
ଦିଅଁ ପାଖେ ମୁହିଁ ନ ଲାଗିଲେ ନାହିଁ
ଦୂବ ଭାବେ ଲୋଜା ହୁଏ
ମୋତେ ଖାଇ ଗାଈ କେତେ ଖୁସି ହୁଏ
ସେଇ ମହାସୁଖ ଦିଏ ।
ଶୀତ କାକରର ଶିଶିର ବିନ୍ଦୂରେ
ମୋତି ପରି ଦେଖା ଯାଏ
ମୋ ଦେହରେ ଖାଲି ପାଦେ ଚାଲେ ଯିଏ
କେତେ ଆରୋଗ୍ଯ ସେ ହୁଏ ।
କାହା ସହିତ ମୁହିଁ ତୁଳନା ହୁଏନି
ଏତିକିରେ ଖୁସି ହୁଏ
ଖୋଲା ଆକାଶର ଧରିତ୍ରୀ କୋଳରେ
ଥାଇ ନିତି ହସୁ ଥାଏ ।