ଗୋଧୂଳୀର ସ୍ୱପ୍ନ
ଗୋଧୂଳୀର ସ୍ୱପ୍ନ
ମୃଦୁ ସମୀରଣେ ଗୋଧୂଳୀ ପଢୁଛି
ଚୋରା ବସନ୍ତର ଚିଠି,
ମଉନ ହିଆରେ ଚୋରା ପୀରତିରେ
ସାଜିଛି ଫଲଗୁ ଷଠି ।
ସାତ ରଂଗେ ଭିଜି ଓଢଣା ବରଜି
ବସିଛି ଗୋଧୂଳୀ ଲଗ୍ନା,
ଜମୁନା ଘାଟର ଅଳସୀ ରାଧିକା
କାହ୍ନୁ ପ୍ରେମରେ ନିମଗ୍ନା ।
ଦିଗବଳୟ କୋଳେ ସିନ୍ଦୁର ଟୋପାରେ
ନବ ବଧୂ ରୂପ ଧରି,
ରକ୍ତିମ ପାଟରେ ଭକ୍ତି ଓଢଣୀରେ
ବାଢିଅଛି ଅର୍ଘ୍ୟ ଥାଳି ।
ପଶୁ ପକ୍ଷୀ ଜୀବେ ଦେଇଣ ବିଦାୟ
ସନ୍ଧ୍ୟାରାଣୀ ଉପଗତେ,
ମାନସ ମନ୍ଥନେ ବାରୁଣୀ ଗଗନେ
ଉପେକ୍ଷିତ ଅବିରତେ ।
ପ୍ରୀତି ରଂଗ ବୋଳି ପଡଇ ଝାଉଁଳି
ସପନକୁ କରି ସାର,
ଗୋଠଫେରା ଟାପୁ ଆତସବାଜିରେ
ଫେରିଯାଏ ବାପଘର ।
ନୀଡଫେରା ପକ୍ଷୀ ଗାଇ ପ୍ରେମ ଚୋଖି
କରିଥାନ୍ତି ବନ୍ଦାପନା,
ଶିଆଳ ତୂରୀରେ ଲୁଚିଯାଏ ଦୂରେ
ସନ୍ଧ୍ୟାକୁ କରି ବନ୍ଦନା ।
