STORYMIRROR

Debadatta Jena

Abstract Tragedy Inspirational

3  

Debadatta Jena

Abstract Tragedy Inspirational

ଗଛ

ଗଛ

2 mins
265

ହଁ ସେ କଅଁଳ କଳୀରେ 


ଏବେ ଜମାଟ ବାନ୍ଧି ଆସୁଥିବା 


ସେ ଅଦୃଶ୍ୟ ଭାବନା,ସଂଭାବନା ଯେ ଠିକ, 


ଏ କଥାକୁ ମୁଁ ଅସ୍ବୀକାର କରୁନି;


ହେଲେ ସ୍ୱାଭାବିକ ଗଛଟିଏ ହେବାକୁ ହେଲେ ତ


ସବୁ ଗଛ ବୃଛ ମାନଙ୍କ ପରି ତୁମର ସେ ବୁକୁରେ 


ଅସମାହିତ ଦୁର୍ବାର ପଣ, ସୀମା ଲଂଘୁଛି, 


ଟିକିଏ ସମ୍ଭାବନା, ଉନ୍ମାଦନା ଓ ଆଶ୍ୱାସନାର 


ଗଭୀର ଉଛ୍ୱlସରେ, କେଉଁ ଆଗତ ଭବିଷ୍ୟତର 


ଅସଂଯତ ପରିକଳ୍ପନାରେ, ବିଳାସିତ 


ସେ ସୁନ୍ଦର ଗାଢ଼ ବିଭୋରତା ପଣ,ସେ ସହଜାତ 


ପ୍ରବୃତ୍ତି ଓ ତାର ଇପ୍ସିତ ଇତିବୃତ୍ତି ଯେ, 


ଏକଦମ ଅଦମ୍ୟ, ଏହା ଅବଶ୍ୟମ୍ଭାବୀ!


କାଲିର ଶିଶୁ ଯେ ଆସନ୍ତା କାଲିର 


ଭବିଷ୍ୟତ,ସେ କଅଁଳ କଳୀ ଓ କଳୀରୁ 


ଶାଖା,ପ୍ରଶାଖା ଯୁକ୍ତ ହୋଇ ତା ବକ୍ଷରେ, 


ବୃନ୍ତ, ବୃନ୍ତରୁ ଫୁଲ ଓ ଫୁଲରୁ ଫଳ, 


ଏଇତ ପ୍ରକୃତିର ନିତ୍ୟ ନିୟମିତ ପ୍ରକ୍ରିୟା, 


ସେ ସବୁଜ ପତ୍ର ମାନଙ୍କର ଗହଳିର 


ପରିପୂର୍ଣ୍ଣତାକୁ କିଏ ବା ଅସ୍ବୀକାର କରିବ? 


ଏଇଟା ବି ଚିରନ୍ତନ ସତ୍ୟ,ନିତ୍ୟ ନୈମିତ୍ତ୍ୟ, 


ଚିର ସବୁଜିମାକୁ ଆପଣେଇବା ତ 


ସୃଷ୍ଟିର ଅବଧାରିତ ଧର୍ମ,ତାର ମୂଲ୍ୟବୋଧ, 


ଅସ୍ଵାଭାବିକତା ଆସିବ ବା କେଉଁଠୁ? 


ତୁମ ମନରେ ଉଙ୍କି ମାରୁଥିବା ସେଇ 


ସଦା ବାଂଛିତ,ଅଲଂଘ୍ୟ, ଅପରିସୀମ 


ସ୍ୱଚ୍ଛ ସୁଶୀତଳ ଉର୍ବର ଅବକାଶ ଯେ 


ସେଇ ଚିର ଅପେକ୍ଷିତ ଆକାଂକ୍ଷାର 


ଅସମାହିତ ଅଭିପ୍ସା ହୋଇ ରହିଛି, 


ସେ କଥାରେ ବି ମୁଁ ସଂପୂର୍ଣ୍ଣ ଏକମତ, 


ଦ୍ବିମତ ହେବାର ପ୍ରଶ୍ନ ନାହିଁ, ନିଃସନ୍ଦେହ, 


ସେଇ ଅବଦମିତ ଇଚ୍ଛାର ସେ ଅନିର୍ବାଣ 


ବିମୋହିତ କାଂକ୍ଷା ଯେ ହୃଦୟ କନ୍ଦରକୁ 


ଆନ୍ଦୋଳିତ କରୁଛି, କରୁଥିବ ମଧ୍ୟ ମୁଁ 


ଏ କଥାକୁ ଲୁଚାଇବି ଅବା କେମିତି? 


ହଁ ମୁଁ ଉର୍ବର ନ ହୋଇ ଥାଇ ପାରେ, 


ତୁମର ସେ ଅବରୁଦ୍ଧ ଶବ୍ଦ କୋଷରେ 


ମୁଁ କେଉଁ ଏକ ଅଗଭୀର ଉପତ୍ୟକାଟିଏ, 


ହୋଇ ପାରେ,ମୋ ବନ୍ଧୁର ଅବବାହିକାରେ 


ଯେ ତୁମେ ସ୍ରୋତସ୍ୱିନୀ ନଦୀଟିଏ ହୋଇ, 


ମୋ ରୁକ୍ଷ ରୁଧିରାକ୍ତ ବକ୍ଷରେ ଫଲ୍ଗୁ ପ୍ରବାହିତ 


କରି ପାର,ଏ କଥାକୁ ତ ସ୍ୱୀକାର କର!


କାରଣ, ସବୁ ନଦୀ ମାନଙ୍କ ପରି 


ତୁମେ ବି ତ ନିମ୍ନଗା,ମାନସପଟରେ ତୁମ 


ସେଇ ନିମ୍ନଗାମୀ ପ୍ଲାବନର ରୀତିମତ 


ପ୍ରକ୍ରିୟା, ତୁମ ସାମ୍ନାରେ ଅନେକ ସମତଳ 


ସମ୍ମୁଜ୍ଜଳ ଭୂମି, ଆଉ ସେ ଅନୁର୍ବର ଭୁଇଁରେ 


ତୁମ ଅବାରିତ ନିର୍ଝରିଣୀର ଝର, 


ଟିକିଏ ବନ୍ଧୁରପଣରେ ତ ତୁମେ ବଦଳାଇ 


ଦେଇ ପାର ତୁମର ଅବାଂଛିତ ମୋଡ଼, 


ଆଉ ଯେତେ ସୁକ୍ଷ୍ମ ସମତଳ ଭୂମି,


ତୁମେ କି ତା ଆପଣାର? ବୃକ୍ଷଟିଏ 


ପୂର୍ଣ୍ଣପ୍ରାପ୍ତି ପାଇଁ ଯେ ସେଇ ପାଞ୍ଚ ଭୂତ 


ଲୋଡ଼ା, ଏ କଥାକୁ ତୁମେ ଅସ୍ବୀକାର 


କରି ପାରିବ କି? ସେଇ ପଞ୍ଚଭୂତ


ବ୍ୟତିରକେ ତୁମେ ଯେ ଅପୂର୍ଣ୍ଣ, ଏହା 


ଅବଧାରିତ ସତ୍ୟ, ଅବଶ୍ୟ ସ୍ଵୀକାର୍ଯ୍ୟ!


ଜୀବନ ଧାରଣାର ସେଇ ମୌଳିକ 


ଆବଶ୍ୟକତା ଯେ ଅପରିହାର୍ଯ୍ୟ, 


ଏହା ଏ ସମାଜ ପାଇଁ ଦୃଢ଼ ନିଶ୍ଚିତ, 


ଆଉ ସେଇ ମୌଳିକତା ଯେ ଆଜି 


କ୍ଷୟ ପ୍ରାପ୍ତ, ଧ୍ବଂସବିମୁଖୀ ଏ କଥା


ବିଶ୍ୱାସ ଯୋଗ୍ୟ, ଅବଧାରିତ!


ବୃକ୍ଷ ବଞ୍ଚିଲେ ଯାଇ, ସୃଷ୍ଟିର ଏଇ 


ଆବଶ୍ୟକ ମୌଳିକ ଉପାଦାନ 


ବଂଚିବ,ସେ ପଞ୍ଚଭୂତ ରକ୍ଷା ହେବ, 


ନ ତୁବା ଏ ସୁନ୍ଦର ସୃଷ୍ଟି ଯେ ସ୍ୱୟଂ 


ପଞ୍ଚଭୂତରେ ବିଲୀନ ହେବ, ଏହା 


ନିଶ୍ଚୟ ବିଚାର ଯୋଗ୍ୟ!



Rate this content
Log in

Similar oriya poem from Abstract