ଗଛ ର କାହାଣୀ ଛାଇ ର କଥା
ଗଛ ର କାହାଣୀ ଛାଇ ର କଥା
ଗଛର କାହାଣୀ ଛାଇର କଥା
ଚଇତି ପବନ ଚନ୍ଦନ ଚିତା
ଚେର ମୂଳି ଆଉ ଜଡିବୁଟି ପୁଣି
ପୋଥି ପତର ଓ କାଗଜ ଖାତା
ସବୁଠି ଲେଖାରେ ସବୁଠି ଲେଖା
ଗଛର କାହାଣୀ ଛାଇର କଥା l
ମେଘକୁ ଦେଖାଏ ବରଷା ବାଟ
ଫଗୁଣ ସକାଳେ ଫୁଲର ହାଟ
ଭୂଇଁ ତଳେ ତଳେ ପାଣିତ ଉଛୁଳେ
ଜଗତ ଗାଏରେ ଜଳର ଗାଥା
ଓଠରେ ଓଠରେ ସବୁରି ଓଠରେ
ଗଛର କାହାଣୀ ଛାଇର କଥା l
ସୂରୁଯର କୋପ ଯାଏରେ ଟଳି
ମଧୁର ମହକ ହୁଅଇ ଢାଳି
ମାଟି ମଥାନରେ ମୁକୁଳା ଆକାଶ
ଖରାକୁ ଉଗାଳେ ପତର ଛତା
ଆଖିରେ ଆଖିରେ ସପନ ମାଖେରେ
ଗଛର କାହାଣୀ ଛାଇର କଥା l
ଗଛ ବିନା କୁହ ଛାଇବା କାହିଁ
ବରଷା ହେବନି ଶୁଖିବ ନଈ
ମରୁଡି ଆସିବ କ୍ଷେତ ଉଜୁଡିବ
ମଣିଷ ଭୁଲିବ ନିଜର ସତ୍ତା
ବେଳତ ନଥିବ ଭାବିବାକୁ ଆଉ
ଗଛର କାହାଣୀ ଛାଇର କଥା l l
