କପାଳମୋଚନ
କପାଳମୋଚନ
କପାଳମୋଚନ ବାବା ତ୍ରିଲୋଚନ
କରନ୍ତି ପାପ ମୋଚନ
ଦୂରାରୋଗ୍ଯ ବ୍ଯାଧୀ ଭଲ ହୋଇଯାଏ
ବାବାଙ୍କୁ କରିଲେ ଧ୍ଯାନ
ଭାରି ପ୍ରତ୍ଯକ୍ଷ ଜାଣ
ବାବା ନୀଳାଚଳେ ବିଦ୍ୟମାନ....
ବଡ ଦେଉଳ ର ଦକ୍ଷିଣ ପଶ୍ଚିମ
କୋଣେ ବାବାଙ୍କ ମନ୍ଦିର
ଲାଗଇ ଯେମିତି ଭୂମି ଗରଭରୁ
ହୋଇଅଛି ସେ ବାହାର
ଦିଶେ ଭାରି ସୁନ୍ଦର
ଘୋଷେ ମହିମା ସେ ବାବାଙ୍କର...
ପୋଥିପୁରାଣ ରେ ହୋଇଛି ବର୍ଣ୍ଣନ
ବାବାଙ୍କ ଉତ୍ପତ୍ତି କଥା
ଚତୁର୍ଥ ପାଣ୍ଡବ ବାବା ଯେ ନକୁଳ
ନୀଳାଚଳ ଗାଏ ଗାଥା
ଦୂର କରନ୍ତି ବ୍ଯଥା
କଲେ ବାବାଙ୍କୁ ଭକ୍ତିରେ ଚିନ୍ତା....
କ୍ରୋଧେ ଜର୍ଜରିତ ହୋଇଥରେ ଶିବ
ବ୍ରହ୍ମାଙ୍କୁ ଚାପୁଡା ଦେଲେ
ପିତାମହଙ୍କର ପଞ୍ଚମ ମୁଣ୍ଡଟି
ଶରୀରରୁ ଛିଡିଗଲେ
ଶିବଙ୍କର ହାତରେ
ଛିଡା ମୁଣ୍ଡ ଟି ଲାଖିଗଲାରେ...
ବ୍ରହ୍ମାଙ୍କର ଶିର ହାତେ ଧରି ହର
ତୀର୍ଥାଟନ କଲେ କେତେ
କାହିଁ କେଉଁଠାରେ ହାତରୁ ତାଙ୍କର
ଛାଡିଲାନି ଶିର ମୋଟେ
ବାବା ନିରାଶ ହୋଇ
ନୀଳାଚଳ କୁ ଆସିଲେ ଧାଇଁ...
ନୀଳାଚଳ ଧାମେ ପାଦ ଦେଉଦେଉ
ଘଟିଲା କଥା ବିଚିତ୍ର
ବାବାଙ୍କ ହାତରୁ ଅଲଗା ହୋଇଲା
ବ୍ରହ୍ମାଙ୍କ ପଞ୍ଚମ ଶିର
ଆନନ୍ଦରେ ଅଧିର
ବାବା ସ୍ମରିଲେ ନୀଳାଦ୍ରୀଶ୍ବର...
କପାଳମୋଚନ ଭାବେ ସେହିଦିନୁ
ରହିଲେ ଶ୍ରୀକ୍ଷେତ୍ରେ ବାବା
ପଞ୍ଚ ମହାଦେବ ମଧ୍ଯରୁ ଜଣେ ସେ
ବଢାନ୍ତି ଶ୍ରୀକ୍ଷେତ୍ର ଶୋଭା
ଭାରି ପ୍ରତ୍ଯକ୍ଷ ସେତ
ରୋଗୀ ମାନଙ୍କୁ କରନ୍ତି ସୁସ୍ଥ...
କପାଳମୋଚନ ଚତୁର୍ଥ ପାଣ୍ଡବ
ନକୁଳ ଭାବରେ କ୍ଷାତ
ମହାପ୍ରଭୁଙ୍କର ପ୍ରିୟ ଶଖା ବାବା
ଖେଳିଥାନ୍ତି ସାଥେ ଚାପ
ହେଲେ ଚନ୍ଦନ ଯାତ
ସାଥେ ନରେନ୍ଦ୍ର ଯାଆନ୍ତି ସେତ...
ବାବାଙ୍କର ଦିବ୍ଯ ବିଜେ ପ୍ରତିମା ତ
ଶ୍ରୀମନ୍ଦିରେ ରହିଥାନ୍ତି
ଶୀତଳଷଷ୍ଠୀରେ ଦେଉଳକୁ ତାଙ୍କ
ବାବା ବିଜେ କରିଥାନ୍ତି
ଶିବ ବିବାହ ନୀତି
ମହା ଆଡମ୍ବରେ ହୋଇଥାନ୍ତି...
ବିବାହ ସରିଲେ ଦେବ ଦମ୍ପତ୍ତିତ ତ
ଶ୍ରୀମନ୍ଦିରେ ଆସିଥାନ୍ତି
ମହାପ୍ରଭୁଙ୍କୁ ସେ ଦରଶନ କରି
ଦିନ ସାରା ରହିଥାନ୍ତି
ଭକ୍ତ ଧନ୍ଯ ହୁଅନ୍ତି
କରି ଦର୍ଶନ ଦେବ ଦମ୍ପତ୍ତି .....
ଶ୍ରାବଣ ସାସରେ ଶିବଭକ୍ତ ମାନେ
କରନ୍ତି ଶ୍ରାବଣୀ ବ୍ରତ
ବାବାଙ୍କ ମଥାରେ ଜଳାର୍ପଣ କରି
ପୂଣ୍ଯ ଅରଜନ୍ତି ଭକ୍ତ
ପ୍ରତି ସୋମବାରେତ
କମ୍ପେ କପାଳମୋଚନ ପୀଠ ....
ମହାଶିବରାତ୍ରି କପାଳମୋଚନ
ପୀଠର ବଡ ପରବ
ଭକତେ ଆସନ୍ତି ଜାଗର ଜାଳନ୍ତି
ହସି ଉଠେ ଚଉଦିଗ
କିଆ କେତକୀ ବାସ
ସେତ ଚହଟଇ ଦଶଦିଶ...
ଅଧ ରାତିରେ ତ ଉଠେ ମହାଦୀପ
ଭକତେ ଥାଆନ୍ତି ଚାହିଁ
ମହାଦୀପରକୁ ତ କଲେ ଦରଶନ
ପାପତାପ ଯାଏ ଧୋଇ
ନମଃ ଶିବୟ ଗାଇ
ଭକ୍ତେ ଯାଆନ୍ତି ବିଭୋର ହୋଇ...
ବାବାଙ୍କ ମନ୍ଦିର ନିକଟେ ରହିଛି
ମଣିକର୍ଣ୍ଣି'କା ତୀର୍ଥ
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ଯରେ ତ
ପାଇଅଛି ସ୍ଥାନ ସେତ
ତହିଁ ସ୍ନାନ କଲେତ
ମହା ପୂଣ୍ଯ ହୁଅଇ ପ୍ରାପତ....
ଜୟ ଜୟ ବାବା କପାଳମୋଚନ
ପାଦେ ଶତ ପ୍ରଣିପାତ
ଆଶିଷେ ତୁମର ହସୁ ଏ ଜଗତ
ଆହେ ପ୍ରଭୁ ଭୂତନାଥ
ସର୍ବେ ରୁହନ୍ତୁ ସୁସ୍ଥ
ଦୁଃଖ ଜଞ୍ଜାଳ ରୁ ହୋଇ ମୁକ୍ତ.....
