ଗାଁରେ ଖରାଦିନ
ଗାଁରେ ଖରାଦିନ
ଉଲଗ୍ନ ବାଳକ ସମ ବୁଲୁଅଛି ଖରାଦିନ
ଗାଆଁରେ ତାହାର ନାହିଁ ଆଉ କାମଦାମ
ମିଳୁଅଛି ବଜାରରେ ପାକେଟରେ ଚକିଅଟା
କିଏ ଅବା ଢିଙ୍କି ପିଟି କୁଟିବ ଗହମ ।
ସହଜ ସୁଲଭେ ମିଳେ ଚୂଡା ଓ ଚାଉଳ
ଲୋଡା ନାହିଁ ଖାଦ୍ଯ ଶସ୍ଯ ଓଳିଆ ବାନ୍ଧିବା
ବତୁରି ରହିଲେ କାଳେ ପୋକ ଲାଗିଯିବ
ଲୋଡା ନାହିଁ ଖରା ଖୋଇ ତାକୁ ଶୁଖାଇବା ।
କେହି ଆଉ ବିରି ପାରି ସାଇତି ରଖୁନି ବଢି
ଓଉ ଅବା କଞ୍ଚା ଆମ୍ବ କାଟି ଫଡା ଫଡା
ଯଉମୁଦା ମାଠିଆରେ ବାସୁନି ଆମ୍ବୁଲ
ବର୍ଷାଦିନେ ଛତୁ ସଙ୍ଗେ ସୁଆଦ ଯା ରନ୍ଧା ।
ଗାଈର ଗୋବର ଖତ ଘସି ଗୁଣ୍ଡା ପାରି
ଯତନରେ କେହି ଆଉ ରଖୁନି ସାଇତି
ନିଆଁଧୂଆଁ ଚୂଲି ଆଉ ଜଳୁନାହିଁ ଘରେ
ସଭିଏଁ ଜଳାଇ ଗ୍ଯାସ ରନ୍ଧନ କରନ୍ତି ।
ଗାଆଁରେ ବି ଖରାଦିନ ହୁଏ ଅମାନିଆ
ବଢିଯାଏ ତାପମାନ ଗ୍ରୀଷ୍ମ ଦାଉ ତାତି
ଶୁଖିଯାଏ କୂଅବାମ୍ଫି ଜଳ ପାଇଁ ହାହାକାର
ଗାଆଁରେ ବି ଲୋଡାପଡେ କୁଲର ଓ ଏସି ।
ଗାଁରେ ବି ଖରାଦିନେ ଧୂମ ଚାଲେ ବିଶ୍ବକପ
ଟେଷ୍ଟ ମ୍ଯାଚ ଭାରତୀୟ ପ୍ରିମିୟମ ଲିଗ
ନିଛାଟିଆ ଖରାବେଳେ ଘାରଇ କ୍ରିକେଟ ନିଶା
ପିିଲାମାନେ ମସଗୁଲ ପଡା ସାହି ସ୍ତବ୍ଧ ଓ ତାଜୁବ ।