STORYMIRROR

Santosh Kumar Nayak

Abstract Inspirational Others

4  

Santosh Kumar Nayak

Abstract Inspirational Others

ଗାନ୍ଧୀଙ୍କୁ ନିମନ୍ତ୍ରଣ

ଗାନ୍ଧୀଙ୍କୁ ନିମନ୍ତ୍ରଣ

1 min
45


କାନ୍ଥର ଫଟୋରେ ଚୁପଚାପ୍ ରହି

ଦେଖୁ ଅଛ ତୁମେ କିସ?

ନିମନ୍ତ୍ରଣ ଦେଲି ଗାନ୍ଧୀ ହେ ତୁମକୁ

ଆମ ଘର ଆଡେ ଆସ;

ଡ୍ରଇଙ୍ଗ୍ ରୁମ୍ ରେ ବସି

ଚାହା ପିଇ ପିଇ ଆଳାପ କରିବା

ଆମେ ଦୁହେଁ ହସି ହସି।


ଘଡିଏ ବିଶ୍ରାମ ନେଲା ପରେ ଆମେ

ବାହାରିବା ଗାଆଁ ବୁଲି,

ଗାଆଁର ମଝିରେ ତୁମରି ମୂରତି

ଦେହ ସାରା ଧୂଳି ବାଲି;

ସ୍ଵଚ୍ଛତା କହିଲେ ଲାଜ, 

ନେତା ଅଭିନେତା ଝାଡୁ ଧରି ହାତେ

ସେଲଫି ନେବାକୁ ସଜ।


ଟିକେ ଆଗେଇଲେ ଦେଖିବା ଯେ ଆମେ

ତୁମରି ମାଙ୍କଡ଼ ତିନି,

ଜଣେ ଦେଖୁଅଛି ନୀଳଛବି ମାନ

ଜଣେ ଶୁଣୁଅଛି ତୁନି ;

ଆରକ ସତିଆ ବଡ, 

ମୁହଁ ଖୋଲିଦେଲେ ବାହାରେ ସଂସ୍କୃତ

ଦିନରାତି ଭଡଭଡ।


ତୁମ ବ୍ୟକ୍ତିତ୍ୱରେ ପ୍ରଭାବିତ ଭାରି

ଆମରି ଗାଆଁର ଝିଅ,

ଆଣ୍ଠୁ ଲୁଚେନାହିଁ ମିନି ସ୍କଟ୍ ପିନ୍ଧି

ବୁଲନ୍ତି ଉଠାଇ ମୁହଁ ;

ପୁଅଙ୍କୁ ନ କର ଥଟ୍ଟା,

ଧନୀ ଗରିବଙ୍କୁ ଏକାକାର କରି

ପିନ୍ଧୁଛନ୍ତି ଚିରା ଫଟା।


ଦୂରୁ ଦେଖି ତୁମେ ଲୋକଙ୍କ ଗହଳି

ଭାବିବନି ଧର୍ମପୀଠ, 

ସେଇ ପରା ଆମ ଗାଆଁ ପୁରୁଷଙ୍କ 

ଅତି ଆପଣାର ମଠ ;

ମିଳଇ ବିଦେଶୀ ଦେଶୀ, 

ଚାଖଣା ସାଙ୍ଗରେ ମାରି ଦେଲେ ଢୋକେ

ମନ ହେଇଯିବ ଖୁସି।


ବୁଲି ବୁଲି ତୁମେ କ୍ଲାନ୍ତ ହୋଇଗଲେ

ଘରକୁ ଆସିବା ଫେରି,

ପରଷି ଦେବ ମୋ ଘରଣୀ ତୁମକୁ

ଆରିସା କାକରା କ୍ଷୀରି ;

ଖାଇ ସାରି ଆମେ ଦୁଇ

ଟିଭି ଦେଖି କିଛି ସମୟ କାଟିବା

ସବୁକଥା ଭୁଲି ଯାଇ।


ଟିଭିରେ ଦେଖିବା ଦେଶର ଖବର

ଡକାୟତି ଗୁଣ୍ଡାଗିରି,

ନାରୀ ନିର୍ଯ୍ୟାତନା ପୁରୁଷ ଯାତନା

ଜାତି ଜାତି ମରାମରି;

ଶାନ୍ତ ହୋଇଲା କି ମନ? 

କି ଲାଭ ପାଇଲ କୁହ ହେ ଗାନ୍ଧିଜୀ

ଦେଶ କରି ବିଭାଜନ?


ନିଇତି ମରୁଛି ସୀମାରେ ସୈନିକ

ଭାଇ ହାତୁ ଗୁଳି ଖାଇ,

ସରକାର ଆମ ନୟାନ୍ତ ହେଲାଣି

ସୀମାର ସମସ୍ୟା ପାଇଁ ;

କେମିତିକା ସ୍ଵାଧୀନତା,

କାଗଜ ଟଙ୍କାରେ ତୁମେ ହସୁଅଛ

କାନ୍ଦୁଛି ଭାରତ ମାତା।


କାନ୍ଦିବନି ବାପୁ ଆଖି ଆଗେ ଦେଖି

ଦେଶର ଅସଲ ରୂପ,

ନିମନ୍ତ୍ରଣ ଦେଲି ବୋଲି କରିବନି

ମୋ ଉପରେ ଜମା କୋପ!

ଇଚ୍ଛା ହେଲେ ତୁମେ ଆସ

ନହେଲେ କାନ୍ଥର ଫଟୋରେ ରହିଣ

ମୁରୁକି ମୁରୁକି ହସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract