ଗାଁ' ରେ କରିବୁ ଘରଅଧେ ଆପଣା ଅଧେ ପର
ଗାଁ' ରେ କରିବୁ ଘରଅଧେ ଆପଣା ଅଧେ ପର
ଆପଣା ପର ର ସଂଜ୍ଞା ସରହଦ
କିଏ ବା କେମିତି ବୁଝେ
ରକ୍ତ ସମ୍ପର୍କର ବିନା ଦଲିଲ ରେ
କିଏ ଯଦି ସଙ୍ଗେ ସାଜେ ।
ଦୁଃଖେ ସଙ୍ଗେ ଥାଇ ମନ ବୁଝୁଥିଲେ
ସିଏ କି ଆପଣା ନୁହେଁ
ଯାତନା ଜଞ୍ଜାଳେ ପଡ଼ି ଯାଇ ଥିଲେ
ହାତ ଧରି ସେ ଉଠାଏ |
ଗାଁ ହେଉ ଅବା ସହର ବି ହେଉ
ମାନସିକ ସ୍ଥିତି ବଡ
ଗାଁ ରଖି ଥାଏ ସବୁରି ଖବର
କେବେ ବି ପକାଏ ବାଡ଼ ।
ଗାଁ ହଜାଇଛି ସ୍ୱତନ୍ତ୍ର ଗାରିମା
ସରଳତା ହଜିଅଛି
ଝାଟି ମାଟି ଘର ବାଡ଼ି ତୋଟାମାଳ
ବିଲୁପ୍ତ ହୋଇ ଯାଉଛି ।
ଗାଁ ଟି ସୁନ୍ଦର ଆପଣା ପରର
ସୁନ୍ଦର ପରୀକ୍ଷା ଗାର
ପ୍ରତିଟି ଘର ର ଖବର ନିଜର
ପ୍ରତ୍ୟେକ ଆମ ଗାଁର |
ଗାଁ ପରିବାର ଟିକି ନିଖି କଥା
ସଂଚ଼ରେ ପବନ ବେଗେ
କିଏ ତାକୁ ନେଇ ଏଣୁ ତେଣୁ ଗପେ
କିଏ ବି ଆସେ ସରାଗେ ।
ଗାଁ ଘର ପଡିଶା ଉପାଶେ ରହିଲେ
ସରାଗେ ପଖାଳ ବାଢ଼େ
ସେଇ ଗ୍ରାମେ ପୁଣି ଟାହି ଟାପରାରେ
ଈର୍ଷା ଅସୂୟାରେ ସଢ଼େ ।
ଗାଁ ସରଳତା ମନ କିଣି ନିଏ
ରକତ ଯେବେ ଆଡାଏ
ମନ ବେଦନାକୁ ବାଣ୍ଟି ଦେଉ ଦେଉ
ସାହସ ବି ମିଳି ଥାଏ |
ଗାଁ ଘରେ ଯେତେ ଘଟଣା ପ୍ରବାହ
ସଭିଙ୍କ ପାଶେ ପହଞ୍ଚେ
କେବେ ଘଟଣାକୁ ଅଘଟଣ କରି
ଏ ମଣିଷ ବାଣ୍ଟେ ମଞ୍ଚେ ।
ଏଇ ଗାଁ ପୁଣି ସମସ୍ୟା ଘେରରୁ
ଉଦ୍ଧାର କରଇ ହେଳେ
ଗାଁ ମାଟି କେବେ ଆପଣା ପଣରେ
ପ୍ରୀତିର ଦୀପାଳି ଜାଳେ ।
ଏଇ ଗାଁ କୋଳେ ଯାନି ଯାତରାର
ସରାଗ ଯେ ବାଣ୍ଟି ହୁଏ
ଏ ଗାଁ ଦାଣ୍ଡେ ବି ଭାଇ ଭାଇ ମଧ୍ୟେ
ରକତ ର ନଦୀ ବୁହେ ।
ଏ ଗାଁ ଭୂଇଁରେ ସପନ ପୁରଣ
ସହଯୋଗ ନଦୀ ତୀରେ
ଏଇ ଗାଁରେ ବି ଉନ୍ନତି ଦର୍ଶନେ
ଈର୍ଷା ଗଡ଼େ ହିଂସା ଝରେ |
ଏ ଗାଆଁ ଦାଣ୍ଡରେ ପ୍ରୀତି ଫୁଲ ଝରେ
କେବେ ବିଷର ଉଦ୍ଗାର
କେବେ ଗାଁ ଆମ ଏକତାରେ ବଦ୍ଧ
କେବେ ହରାଏ ସେ ସୁର ।
କେବେ ଏଇ ଗାଁ ଆଧ୍ୟାତ୍ମବାଦର
ଶଙ୍ଖ ଫୁଙ୍କି ଦେଉ ଥାଏ
କେବେ ପୁଣି ଏଠି ଆତ୍ମ ଚେତନା ବି
ତା ପଥ ହରାଇ ଥାଏ ।
ସୁଖ, ଦୁଃଖ ଆଉ ଭଲ ମନ୍ଦ ନେଇ
ଜୀବନର ଗତିପଥ
ଗାଁ ଟି ସେଭଳି ଭଲ ଓ ମନ୍ଦରେ
ସବୁକାଳେ ପରା ସ୍ଥିତ ।
ଗାଁ ର ଚଳଣି ବଦଳିଛି କହୁ
ଆମେ ବଦଳି ଯାଇଛୁ
ମାନସିକତାର ସଂଘାତ ଘଟିଛି
ଚିତ୍ର ବଦଳାଇ ଅଛୁ ।
ଏଇ ଗାଁ ବୁକେ ଆପଣା ପଣର
ଭୁରୁ ଭୁରୁ ଗନ୍ଧ ଛୁଟେ
ଏ ଗାଆଁ ରେ ପୁଣି ହିଂସା ଅଟ୍ଟହାସ୍ୟ
ମନରେ ବିରାଗ ବାଣ୍ଟେ ।
ଗାଁ କଥା କେବେ ସହରେ ହୁଏନି
ଆତ୍ମୀୟତା ଭରା ସ୍ଥଳ
ବିବେକ ଦେଉଛି ଆତ୍ମାହୁତି ପରା
ବିକାରର ଚ଼ାଲେ ଖେଳ ।
ସବୁରି ମୂଳରେ ମାନସିକତା ଯେ
ମଣିଷ ମନେ ତା ଘର
ବିବେକ ବୋଧ ର ଆତ୍ମ ଚେତନାରେ
ସ୍ଥଳ ହୁଅଇ ସୁନ୍ଦର ।
ଗାଁ ର ବୁକୁରେ ସୁନ୍ଦର ଛବି ଟେ
ଆଙ୍କିବା ଆମର କାମ
ପର ଆପଣାର ଦିଗ ଦିଗନ୍ତରେ
ନିଜେ ହେବାନି ନିର୍ମମ ।
ପର ଆପଣାର ହିସାବ ହୁଏ କି
ଖାଲି ରକ୍ତ ସଂପର୍କରେ
ଦୁଃଖେ ଆସି ଯିଏ ଲୁହ ପୋଛି ଦିଏ
ସିଏ ଗଣ ଆପଣା ରେ ।
ଗାଁ ର ବୁକୁରେ ଘର ଟିଏ କଲେ
ସଭିଏଁ କି ଆପଣାର
ପର ଆପଣାର ଫେଣ୍ଟା ଫେଣ୍ଟି ସ୍ରୋତ
ତାକୁ କରିବା ସ୍ଵୀକାର ।
