STORYMIRROR

Sarojini Mishra

Abstract Inspirational

4  

Sarojini Mishra

Abstract Inspirational

ଗାଁ' ରେ କରିବୁ ଘରଅଧେ ଆପଣା ଅଧେ ପର

ଗାଁ' ରେ କରିବୁ ଘରଅଧେ ଆପଣା ଅଧେ ପର

2 mins
224

ଆପଣା ପର ର ସଂଜ୍ଞା ସରହଦ

କିଏ ବା କେମିତି ବୁଝେ

ରକ୍ତ ସମ୍ପର୍କର ବିନା ଦଲିଲ ରେ

କିଏ ଯଦି ସଙ୍ଗେ ସାଜେ ।

ଦୁଃଖେ ସଙ୍ଗେ ଥାଇ ମନ ବୁଝୁଥିଲେ

ସିଏ କି ଆପଣା ନୁହେଁ

ଯାତନା ଜଞ୍ଜାଳେ ପଡ଼ି ଯାଇ ଥିଲେ

ହାତ ଧରି ସେ ଉଠାଏ |

ଗାଁ ହେଉ ଅବା ସହର ବି ହେଉ

ମାନସିକ ସ୍ଥିତି ବଡ

ଗାଁ ରଖି ଥାଏ ସବୁରି ଖବର

କେବେ ବି ପକାଏ ବାଡ଼ ।

ଗାଁ ହଜାଇଛି ସ୍ୱତନ୍ତ୍ର ଗାରିମା

ସରଳତା ହଜିଅଛି

ଝାଟି ମାଟି ଘର ବାଡ଼ି ତୋଟାମାଳ

ବିଲୁପ୍ତ ହୋଇ ଯାଉଛି ।

ଗାଁ ଟି ସୁନ୍ଦର ଆପଣା ପରର

ସୁନ୍ଦର ପରୀକ୍ଷା ଗାର

ପ୍ରତିଟି ଘର ର ଖବର ନିଜର

ପ୍ରତ୍ୟେକ ଆମ ଗାଁର |

ଗାଁ ପରିବାର ଟିକି ନିଖି କଥା

ସଂଚ଼ରେ ପବନ ବେଗେ

କିଏ ତାକୁ ନେଇ ଏଣୁ ତେଣୁ ଗପେ

କିଏ ବି ଆସେ ସରାଗେ ।

ଗାଁ ଘର ପଡିଶା ଉପାଶେ ରହିଲେ

ସରାଗେ ପଖାଳ ବାଢ଼େ

ସେଇ ଗ୍ରାମେ ପୁଣି ଟାହି ଟାପରାରେ

ଈର୍ଷା ଅସୂୟାରେ ସଢ଼େ ।

ଗାଁ ସରଳତା ମନ କିଣି ନିଏ

ରକତ ଯେବେ ଆଡାଏ

ମନ ବେଦନାକୁ ବାଣ୍ଟି ଦେଉ ଦେଉ

ସାହସ ବି ମିଳି ଥାଏ |

ଗାଁ ଘରେ ଯେତେ ଘଟଣା ପ୍ରବାହ

ସଭିଙ୍କ ପାଶେ ପହଞ୍ଚେ

କେବେ ଘଟଣାକୁ ଅଘଟଣ କରି

ଏ ମଣିଷ ବାଣ୍ଟେ ମଞ୍ଚେ ।

ଏଇ ଗାଁ ପୁଣି ସମସ୍ୟା ଘେରରୁ

ଉଦ୍ଧାର କରଇ ହେଳେ

ଗାଁ ମାଟି କେବେ ଆପଣା ପଣରେ

ପ୍ରୀତିର ଦୀପାଳି ଜାଳେ ।

ଏଇ ଗାଁ କୋଳେ ଯାନି ଯାତରାର

ସରାଗ ଯେ ବାଣ୍ଟି ହୁଏ

ଏ ଗାଁ ଦାଣ୍ଡେ ବି ଭାଇ ଭାଇ ମଧ୍ୟେ

ରକତ ର ନଦୀ ବୁହେ ।

ଏ ଗାଁ ଭୂଇଁରେ ସପନ ପୁରଣ

ସହଯୋଗ ନଦୀ ତୀରେ

ଏଇ ଗାଁରେ ବି ଉନ୍ନତି ଦର୍ଶନେ

ଈର୍ଷା ଗଡ଼େ ହିଂସା ଝରେ |

ଏ ଗାଆଁ ଦାଣ୍ଡରେ ପ୍ରୀତି ଫୁଲ ଝରେ

କେବେ ବିଷର ଉଦ୍ଗାର

କେବେ ଗାଁ ଆମ ଏକତାରେ ବଦ୍ଧ

କେବେ ହରାଏ ସେ ସୁର ।

କେବେ ଏଇ ଗାଁ ଆଧ୍ୟାତ୍ମବାଦର

ଶଙ୍ଖ ଫୁଙ୍କି ଦେଉ ଥାଏ

କେବେ ପୁଣି ଏଠି ଆତ୍ମ ଚେତନା ବି

ତା ପଥ ହରାଇ ଥାଏ ।

ସୁଖ, ଦୁଃଖ ଆଉ ଭଲ ମନ୍ଦ ନେଇ

ଜୀବନର ଗତିପଥ

ଗାଁ ଟି ସେଭଳି ଭଲ ଓ ମନ୍ଦରେ

ସବୁକାଳେ ପରା ସ୍ଥିତ ।

ଗାଁ ର ଚଳଣି ବଦଳିଛି କହୁ

ଆମେ ବଦଳି ଯାଇଛୁ

ମାନସିକତାର ସଂଘାତ ଘଟିଛି

ଚିତ୍ର ବଦଳାଇ ଅଛୁ ।

ଏଇ ଗାଁ ବୁକେ ଆପଣା ପଣର

ଭୁରୁ ଭୁରୁ ଗନ୍ଧ ଛୁଟେ

ଏ ଗାଆଁ ରେ ପୁଣି ହିଂସା ଅଟ୍ଟହାସ୍ୟ

ମନରେ ବିରାଗ ବାଣ୍ଟେ ।

ଗାଁ କଥା କେବେ ସହରେ ହୁଏନି

ଆତ୍ମୀୟତା ଭରା ସ୍ଥଳ

ବିବେକ ଦେଉଛି ଆତ୍ମାହୁତି ପରା

ବିକାରର ଚ଼ାଲେ ଖେଳ ।

ସବୁରି ମୂଳରେ ମାନସିକତା ଯେ

ମଣିଷ ମନେ ତା ଘର

ବିବେକ ବୋଧ ର ଆତ୍ମ ଚେତନାରେ

ସ୍ଥଳ ହୁଅଇ ସୁନ୍ଦର ।

ଗାଁ ର ବୁକୁରେ ସୁନ୍ଦର ଛବି ଟେ

ଆଙ୍କିବା ଆମର କାମ

ପର ଆପଣାର ଦିଗ ଦିଗନ୍ତରେ

ନିଜେ ହେବାନି ନିର୍ମମ ।

ପର ଆପଣାର ହିସାବ ହୁଏ କି

ଖାଲି ରକ୍ତ ସଂପର୍କରେ

ଦୁଃଖେ ଆସି ଯିଏ ଲୁହ ପୋଛି ଦିଏ

ସିଏ ଗଣ ଆପଣା ରେ ।

ଗାଁ ର ବୁକୁରେ ଘର ଟିଏ କଲେ

ସଭିଏଁ କି ଆପଣାର

ପର ଆପଣାର ଫେଣ୍ଟା ଫେଣ୍ଟି ସ୍ରୋତ

ତାକୁ କରିବା ସ୍ଵୀକାର ।


Rate this content
Log in

Similar oriya poem from Abstract