ଗାଁ ଆମ୍ବତୋଟା
ଗାଁ ଆମ୍ବତୋଟା
ଗାଁ ଆମ୍ବ ତୋଟା ଶୀତଳ ସମୀର
କେତେ ଥିଲା ଯେ ନିଜର
କେତେ ଖରାବେଳ ହଜି ଯାଇଅଛି
ମନେ ଖେଳଇ ଜୁଆର ।
ଯେଉଁ ଆମ୍ବ ତୋଟା ପ୍ରତି ପତରରେ
ଲେଖା ପିଲାଦିନ କଥା
ଖୋଜି ବସିଲେ ତ ମିଳୁ ନାହିଁ ଆଜି
ମନରେ ଲାଗଇ ବ୍ୟଥା ।
ଗାଁ ଆମ୍ବ ତୋଟା ଝାଇଁଆ ଖରାରେ
ସାଙ୍ଗ ସାଥୀଙ୍କର ମେଳ
କଷି ଆମ୍ବ ଆଉ ଲୁଣ ଲଙ୍କା ସଙ୍ଗେ
କଟୁ ଥିଲା ଖରାବେଳ ।
ଗାଁ ଆମ୍ବତୋଟା ସ୍ମୃତିର କବରେ
ତୋଟା କାଟି ହେଲା ପଦା
ହଜିଗଲା ପରା ସେଇ ପିଲାଦିନ
ଖାଲି ସ୍ମୃତି ଶବ ଗଦା |
ଗାଁ ଆମ୍ବତୋଟା ଦି'ପହର ଟା
ପିଲାଙ୍କର କୋଳାହଳ
କୋଇଲି ସଙ୍ଗରେ କୁ କୁ କରି
ହେଉ ଥିଲା ବଡ଼ ଖେଳ ।
ଗାଁ ଆମ୍ବତୋଟା ହଜିଗଲା ଆଜି
ପ୍ରଗତିର ଡାକରାରେ
ପ୍ରଗତି ଆଣିଲା ଦୁର୍ଗତି ଆଜି ଯେ
ପିଲାମାନେ ସବୁ ଘରେ |
ଆମ୍ବ ତୋଟା ନାହିଁ କୋଇଲି ଗାଉନି
ନାହିଁ ପିଲାଙ୍କର ମେଳି
ଆମ୍ବତୋଟା ସ୍ମୃତି ତାତି ଭରୁ ଅଛି
ଶୁଭୁଚି ଖାଲି ବୋବାଳି ।
ରାସ୍ତାଘାଟ ଆଜି ଜନ ଶୂନ୍ୟ ହୁଏ
କାଳ ହେଲା ଖରାବେଳ
ତାପର ପାରଦ ବଢ଼ି ବଢି ଚ଼ାଲେ
ଜୀବନ ଆଜି ବିକଳ ।
ଗାଁ ଆମ୍ବ ତୋଟା ସତେ ଶୂନ୍ୟେ କହେ
କାହିଁକି କାଟିଲ ତୋଟା
ଜାଣିନ କି ଭାଇ ସେଥିପାଇଁ ଆଜି
ହେଉ ଅଛ ହଟ ହଟା |
ବଢୁଅଛି ତାତି ଜୀବନ ଅଚଳ
ଶୁଷ୍କ ନଦୀ ପୁଷ୍କରିଣୀ
ଖରାବେଳ ଟାରେ ଛଟ ପଟ ଖାଲି
ତୋଟା କଥା ମନେ ଗୁଣି ।
ଆମ୍ବ ତୋଟା ନାହିଁ ସ୍ମତି ତାର ଆସି
ତାତିଲା ରାତିରେ ପଶେ
ରାତି ଅନିଦ୍ରାରେ କଟୁଛି ଜୀବନ
ଆମ୍ବ ତୋଟା ଖାଲି ଦିଶେ ।