ଏତିକି ମୋହର ଭିକ୍ଷା
ଏତିକି ମୋହର ଭିକ୍ଷା
କେମିତି ଡାକିବି ଜାଣିନି ତୁମକୁ
ତୁମ ଭାବେ ଖାଲି ବନ୍ଧା
ସଖା ମୋର ବୋଲି ଭାବୁଛି ତୁମକୁ
ରାଧା ରାଣୀ ପ୍ରୀତିଛନ୍ଦା ।
ତୁମେ ନିଷ୍କଳଙ୍କ ମୋହର କଳଙ୍କେ
କଳା କି ତୁମର ଅଙ୍ଗ
ସୁଖ ବେଳେ କେବେ ଡାକିନି ବୋଲି ହେ
କରିଛ କି ତୁମେ ରାଗ ।
ତୁମେ ମହୋଦଧି କରୁଣା ବାରିଧି
ମୋ ଜୀବନ ଗତି ମୁକ୍ତି
କେମିତି କେଉଁଠି ପାଇବି ତୁମକୁ
ଖୋଜେ ମୁଁ ତୁମକୁ ନିତି ।
ଖୋଜେ ମୁଁ ମନ୍ଦିରେ ପୁରାଣ ପୋଥିରେ
ଲୁଚିଛ କି ତୁମେ ସଖା
ପାପୀ ଟିଏ ମୁହିଁ ଅବା ସେଥିପାଇଁ
ଦେଉନାହିଁ ମୋତେ ଦେଖା ।
ତୁମେ ମୋର ମାତା ତୁମେ ପରା ପିତା
ବନ୍ଧୁ ସହଦୋର ସଖା
ସତରେ ନ ହେଉ ସପନ ରେ କେବେ
ଦିଅ ଥରେ ମୋତେ ଦେଖା ।
ମୋ ଦୁଃଖସଙ୍ଖାଳି ହୃଦ ଗଳାମାଳୀ
ତୁମେ ପରା ମୋର ସଖା
ତୁମେ ରଖିଲେ ନ ଏ ସାରା ସଂସାରେ
ଆଉ କେ କରିବ ରକ୍ଷା ।
ହେ କରୁଣାକର କ୍ଷମାର ସାଗର
କର ବାରେ ଅନୁକମ୍ପା
ଯାଉ ମୋର ଜୀବ ଦେଖି ପଦ୍ମପାଦ
ଏତିକି ମୋହର ଭିକ୍ଷା ।