ଏତେ ସପନକୁ ରାତି କାହିଁ?
ଏତେ ସପନକୁ ରାତି କାହିଁ?
ମନକୁ ଅଶାନ୍ତ, ଅସ୍ଥିର କରି
ବାଟବଣା କରନ୍ତି ମୋ ସବୁ ସପନ
ନିତିଦିନ
ମୋ ସପନରେ ତ
ସରଗୀ ଜହ୍ନମାନେ
ମନକୁ ଛୁଇଁ, ଦେହକୁ ବି ଛୁଇଁ
ସୁନୀଲ ଆକାଶକୁ ଲମ୍ଫଡିଆଁ ମାରିବାକୁ ଦିଅନ୍ତି ଉପଦେଶ
ଘନକୁହୁଡିକୁ କଳାମେଘ ସଜେଇ
ସାତ ସମୁଦ୍ରକୁ ପାରି ହେବା ତ କେତେ ସହଜ
କୁବେର ରତ୍ନଭଣ୍ଡାରକୁ କିଏ ପଚାରେ?
ଶୁଖା ନଈରେ ପହଁରିବାର ଅନୁଭବ
ବେଶ ନିଆରା ଆଉ ଅଭୁଲା ବି
ବେଳେବେଳେ ମନେହୁଏ
ବାସ୍ତବତାକୁ ଫିଙ୍ଗି ଉପାଡ଼ିଦିଅନ୍ତି
ଯଦି ସବୁ ସପନ ମୋ ସତ ହୁଅନ୍ତା
ମୋ ଜୀବନ ସତେ ବଦଳି ଯାଆନ୍ତା
ଆଉ କେତେକଣ ବି ହୁଅନ୍ତା
ହେଲେ ଏତେ ସପନକୁ ରାତି ବା କାହିଁ?

