ଏକକ ନାୟକ
ଏକକ ନାୟକ
ଦିଗ ହରା ହେଇ ଘୂରି ବୁଲୁଅଛି
ଏକକ ନାୟକ ଟିଏ
ନା ଠିକଣା ଅଛି କାହାକୁ ଜାଣିଛି
ନା ସାଥି ମୋ ଅଛି କିଏ ।
ହସ ଲୁହ ଭରା ଏଇ ଦୁନିଆରେ
ମୁଁ କ୍ଳାନ୍ତ ପଥିକ ଟିଏ
ଆଶ୍ରୟ ନେବାକୁ ଏ ପଥ ପ୍ରାନ୍ତରେ
ନା ପାନ୍ଥଶାଳାଟେ ପାଏ ।
ଅବଶ ଲାଗିଲେ ଏଇ ପାଦ ମୋର
ପ୍ରେମର ସଙ୍ଗୀତ ଗାଏ
ସେଇ ସଙ୍ଗୀତରେ ମୁଁ ନାୟକ ସାଜେ
ମୋ ମନ ନାୟିକା ହୁଏ ।
କେତେବେଳେ ହସେ କେତେବେଳେ କାନ୍ଦେ
କେବେ ମନ ଦୁଃଖ କରେ
ସେଇ ମନ ଦୁଃଖ ଯନ୍ତ୍ରଣା ଦାୟକ
ଛାତିରେ କୋହଟି ଭରେ ।
ଆଖିର ଆଗରେ ଅତୀତର ସ୍ମୃତି
ଆପେ ଆସି ଥାଏ ଭାସି
ଭାବନା ରାଇଜେ ନାୟକ ସାଜି ମୁଁ
ପଥ ପ୍ରାନ୍ତେ ଯାଏ ବସି ।
ଭୋକ ଶୋଷ ସବୁ ଭୁଲି ଯାଇ ଥାଏ
ନା ମୋର ଠିକଣା ଥାଏ
ଏ ସାରା ଦୁନିଆ ମୋ ନିବାସ ହୁଏ
ନା, ମୋତେ କିଏ ଭଲ ପାଏ ।
ନା କିଏ ଖୋଜେ ନା ପାଖକୁ ଡାକେ
ନା ସାଥି ହୁଅଇ କିଏ
ମୋ ରଙ୍ଗ ମଞ୍ଚରେ ମହାନାୟକ ମୁଁ
ଏକା ଏକା ନାଚୁ ଥାଏ
।
ମନ ଆକାଶର ଖୋଲା ମଞ୍ଚ ପରେ
କରୁଥାଏ ଅଭିନୟ
ଖରା, ବର୍ଷା ,ଶୀତ ,ଝଡ ବା ବତାସ
ନା କାହାକୁ କରେ ଭୟ ।
ଖୋଲା ଆକାଶର ଧରିତ୍ରୀ ଛାତିରେ
ପାଦ ମୋ ଅଟକି ଥାଏ
ମୋ ଅଭିନୟକୁ ମୁଁ ଏକା ଦେଖେ
ନା ଦର୍ଶକ ଥାନ୍ତି କିଏ ।
ନା କରତାଳି ଲୋଡା ଥାଏ ମୋର
ନା ଶୁଭି ଥାଏ ଗାଳି
ମନ ମାନି ଗଲେ ମନେ ମନେ ହସି
ନିଜେ ଦିଏ ଫୁଲ ତୋଳି ।
ସେ ଫୁଲ ମହକ ସେମିତି ରହଇ
ବିଭୋର ମୁଁ ହେଇଯାଏ
କହିକି ପାରିବ ଏମିତି ନିଖୁଣ
ଅଭିନୟ କରେ କିଏ ।
ଏ ସାରା ଦୁନିଆ ମୋ ପାଇଁ ଏକ
ରଙ୍ଗ ମଞ୍ଚ ସାଜି ଥାଏ
ପ୍ରତିଦ୍ବନ୍ଦୀ ମୋର ନା କିଏ ହୁଏ
ଅଭିନୟେ ମଜ୍ଜି ଯାଏ ।
ଅବିଶ୍ରାନ୍ତ ଭରା ଏଇ ଅଭିନୟ
ନା କେବେ ଅଟକି ଥାଏ
ଯେଉଁ ଦିନ ଶେଷ ହେବ ଅଭିନୟ
ମରି ଶୋଇ ଯିବ ସିଏ ।
ମଶାଣୀ ଜୁଇର ପାଉଁଶ ତଳରୁ
ହସି କହୁଥିବ ସିଏ
ଦେଖିଛକି କେବେ ଏମିତିକା ଗୋଟେ
ଏକକ ନାୟକ ଟିଏ ।