ଏକି ବିହି ହେଲା ଆଜ
ଏକି ବିହି ହେଲା ଆଜ
ଉଷା ଆଗମନେ ବାରୁଣୀ ଗଗନେ
ଉଇଁଲା ନବୀନ ସୁରୁଜ
ଆହା ! ପ୍ରାଣଧନ କୌଶଲ୍ୟା ନନ୍ଦନ ଏକି ହେଲାରେ ବିହି ଆଜ
ଆରେ ଦଇବ ! କେଡେ ମନ୍ଦଭାଗ୍ୟ କରିଲୁ
ରାତ୍ରିପାହି ରାମରାଜା ବନବାସେ କାରୁଣ୍ୟ ଦାରୁଣ ହୋଇଲୁ ।
ନବମୀ ତିଥିରେ ଚୋରା ଚଇତାଳି ମଳୟ ମହକ ଭରିଲା
ଅଯୋଧ୍ୟାର ଆକାଶେ ପ୍ରୀତିର କିରଣେ ଚନ୍ଦ୍ରସୁନ୍ଦର ଉଇଁଲା
ଭରା ଚଇତି ! ଆବାହନୀର ମନ୍ଦସୁରେ
ତପସ୍ୟା ବେଦୀର ନୈବେଦ୍ୟ ସଞ୍ଜିବନୀ ମଧୁକ୍ଷରା କଲ୍ଲୋଳରେ ।
ସ୍ୱପ୍ନ ସାମ୍ରାଜ୍ୟରେ ରତ୍ନଟିଏ ପରା ଦଶରଥ ଜ୍ୟେଷ୍ଠ ନନ୍ଦନ
ଶ୍ରାବଣ ସଞ୍ଜର ଭିଜାମାଟି ବାସ୍ନା ଭରା ସେ ହୃଦୟ ଅଙ୍ଗନ
ମାତ କୌଶଲ୍ୟା ! ସ୍ନେହଝରା ଅନ୍ଧ ନୟନ,
ଆନମନା ହୃଦ ମଧୁରେ ମଧୁର ଆହା ମୋ ରଙ୍କୁଣୀ ଜୀବନ ।
ରାମ,ରାମ ଧନ କରେ ସମ୍ମୋହନ ପ୍ରତିକ୍ଷଣେ ହୃଦ ଅଧୀର
ଶ୍ରଦ୍ଧା ଭାବଅର୍ଘ୍ୟ ତୃଷାର୍ତ୍ତ ଏ ଲଗ୍ନ ପରାଣେ ମେଘର ମହ୍ଲାର
ପ୍ରଭୁ ଶ୍ରୀରାମ ! କୋଶଳ କିଶୋର ହେ,ବୀର
କଳିକାଳେ ନାମ ଅବିରତ ଘୋଷ ମହିମା ଅନନ୍ତ ଅପାର ।
ବନବାସ ଗଲେ ହୃଦୟର ମଣି ଜନକ ଜେମାଙ୍କ ସହିତ
ପ୍ରିୟଭାଇ ଲକ୍ଷ୍ମଣ ସଙ୍ଗତେ ଅଯୋଧ୍ୟା ଶିରୋମଣି ଚଳେତ
ମାତାଗୋ ସୀତେ ! ବନବାସ ହୃଦେ ଜୀବନ୍ତ
ସରଜୁ ତଟରୁ ଅଶୋକ ବାଟିକା ତ୍ରିଜଟା, ଜଟାୟୁ ପର୍ଯ୍ୟନ୍ତ ।
ପିତାମାତା କୋଳେ ଏପରି ସନ୍ତାନ କାହିଁଦେଖିଛ କେଉଁପୁରେ
ଚଉଦବରଷ କଟିଲା ବିପିନେ ଗମନ୍ତେ ପିତୃ ଆଦେଶରେ
ରେ ଭ୍ରାତାଶ୍ରେଷ୍ଠ ! ରାମାୟଣ ଲୋକ ମୁଖରେ
ମିତ୍ର, ପୁତ୍ରପଣେ ରାଜଧିରାଜ ରାମ ସଦାଭଜେ ହୃଦୟରେ ।
ସମ୍ପର୍କେ ଅନ୍ତରଙ୍ଗ ଦେଇ ସାତରଙ୍ଗ ରାମାୟଣ ଶିକ୍ଷାସାର
ମଧୁର ବାରତା ପରିବାର ସଂସ୍କାର ଜିଣେ ନମ୍ର ବ୍ୟବହାର
ରାମ ଶ୍ରୀରାମ ! ତୃଷାର୍ତ୍ତ ଏ' ହୃଦ ବିଭୋର,
ହୃଦୟ ବୀଣାରେ ରାମ,ରାମନାମ ତୋଳୁଛି ମଧୁର ଝଙ୍କାର ।
ପ୍ରତିଯୁଗ ଶେଷେ ଅବତାର ହୋଇ ଭିନ୍ନନାମ ବହି ଧରାରେ
ହୃଦୟରେ ଥାଇ ହୃଦୟ ବିହାରୀ ଭାବକଳ୍ପନାର ସାଗରେ
ଆହା ନନ୍ଦନ ! ସନ୍ତାପିତ ହୃଦ ଚନ୍ଦନ
ବଞ୍ଚିଥିବା ଯାକେ ହୃଦ ମନ୍ଦିରରେ ଝୁରୁଥିବି ମୋ'ପ୍ରାଣଧନ ।
କଳିର ଅମୃତ ରାମ ନାମାମୃତ ଜପି ତରିଥିଲେ ପାପୀକି
ସଞ୍ଜିବନୀ ସୁଧା ମରା,ମରା ହୋଇ ଦସ୍ୟୁ ହୋଇଗଲେ ବାଲ୍ମୀକି
ଶୋଭା, ସମ୍ଭାର ! ଦିବ୍ୟ ଅଲୌକିକ ଲୀଳାର
ଆଶା-ବିଶ୍ୱାସରେ ମନ ନିଳୟରେ ଚାରୁଚିତ୍ର ନାମ ଝଙ୍କାର ।