STORYMIRROR

Sanjay kumar Panda

Tragedy

3  

Sanjay kumar Panda

Tragedy

ଏକା ଏକା ଜୀବନ

ଏକା ଏକା ଜୀବନ

1 min
202


ଯୁଗ ଯୁଗରୁ ପାଣି ଛୁଇଁନଥିବା

ନିତି ପାଲଟଣା ଲୁଗାରୁ,

ପରସ୍ତ ପରସ୍ତ କରି କଳା ରଙ୍ଗର ଖରାସବୁକୁ

ବିଦାୟ ଦେଇସାରିଲା ବେଳକୁ,

ନିଜ ହାତପିନ୍ଧା ଶସ୍ତା ମୁଦିଟା

ରଚ୍ କରି ଟାଣିଦିଏ ଅଲିଭା ଗାରଟେ,

ନା ତାକୁ ପିନ୍ଧିହୁଏ ନା ଫିଙ୍ଗିହୁଏ ।


ନିଃସଙ୍ଗତା ଆଉ କଣ କି !


ଗୋଟେ ଶୁଖି ଆସୁଥିବା ନଈ କୂଳରେ

ପୋତି ହୋଇଆସୁଥିବା ନୌକାଟେ,

ଲମ୍ବା ଶୀତରାତିର ଶେଷ ପ୍ରହରରେ

ଏକ ଲିଭିଯାଇଥିବା ଅସ୍ପଷ୍ଟ ସ୍ୱପ୍ନଟେ,

ଗୋଟେ ଗଢା ସରିଥିବା ମୂର୍ତ୍ତି ଆଗରେ

ବଳିପଡିଥିବା ପେଣ୍ଡୁଳାଏ କାଦୁଅ,

ଆଉ ହାବୁକାଏ ନିଶ୍ୱାସ ଉଧାର ନେଇ

କିଛି ପରିଚିତ ବିଶ୍ୱାସମାନଙ୍କୁ ବାନ୍ଧିରଖିବାରେ

ବାରମ୍ବାର ବିଫଳ ହୋଇ ନଇଁ ଆସୁଥିବା

ରକ୍ତ ମାଂସର କଙ୍କାଳଟେ ।।


ଆଖୁ ହୋଇ ନିଜ ଦେହରୁ

ସବୁ ମିଠାକୁ ଚିପୁଡି ସାରିଲା ପରେ,

ନିଆଁ ହୁଳାରେ ନିଜକୁ ଆଉଟି

ଦି ମୁଠା ପାଉଁଶ ହେବା ବାକି ।।


ଚାରିପଟେ ବେଡିରହିଥିବା କିଛି ହାତ

ଧୂଆଁ ହୋଇ ଆକାଶରେ ମିଶିଗଲା ପରେ,

ନିଜକୁ ଧରି ରଖିବାକୁ ହୁଏ

କଟା ଯାଇଥିବା ଗଛ ମୂଳରୁ 

ଆଉକିଛି କଅଁଳିଆ ପତ୍ର ଗଜୁରିବା ଯାଏଁ ।

ଗତ ରାତିରୁ କୁହୁଳୁଥିବା ଜହ୍ନରୁ

ସବୁ କଳଙ୍କ ଝଡିଯିବା ଯାଏଁ ।


କିଛି ସ୍ମୃତି ଗାମୁଛାରେ ବାନ୍ଧି

ନିଃସଙ୍ଗତା ସହ ସନ୍ଧି କରିବାକୁ ହୁଏ ।

ନିଜକୁ ନିଜ ଭିତରେ ଖୋଜି

ଏକା ଏକା ଜୀଇଁବାକୁ ହୁଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy