ରେଳ ଛାଡ଼ିବାର ବେଳ
ରେଳ ଛାଡ଼ିବାର ବେଳ
ପ୍ଲାଟଫର୍ମ ନମ୍ବର ଦୁଇ,
କୃପୟା ଧ୍ୟାନ ଦେ
ଗାଡ଼ି ନମ୍ବର...
ଗୋଟେ ସୁନ୍ଦରୀ ତରୁଣୀର କଣ୍ଠସ୍ୱର
କେହିକେବେ ଦେଖିନି ତାକୁ,
ହୋଇପାରେ ଚେଷ୍ଟା କରିନି
କେବେ କେହି ଦେଖିବାକୁ ।
ରେଳ ଛାଡ଼ିବାର ବେଳ
ଅଣନିଶ୍ୱାସୀ ହୋଇ ଦୌଡୁଥାନ୍ତି
କେତୋଟି ଅଫିସ୍ ବ୍ୟାଗ୍,
ଅଧାଚିରା ଅଖା ସହ
ମଇଳା ଗାମୁଛାଟେ,
ଅବା ପାଦଚିହ୍ନ ଥିବା
କେଇ ହଳ ଦୋରଙ୍ଗୀ ଚପଲ ।
ଗ୍ରାହକକୁ ପଇସା ଫେରେଇ
ସମୋସାମାନେ ଅଟକି ଯାଆନ୍ତି ।
ରେଳ ଗଡ଼ିଯାଏ ।
ସେ ବୁଝେନି ମୂଲଚାଲ,
ସେ ବୁଝେନି ଭୋକ,
ସେ ବୁଝେନି ସଂସାର ।
ସେ ନିଃସହାୟ
ତା ଲୁହାର ଧାରଣା ପାଖରେ,
ସବୁଜ ପତାକା ପାଖରେ,
ଆଉ ରାଣ ଦେଇ ଡାକୁଥିବା
ତିନିଟି ହର୍ଣ୍ଣ ପାଖରେ ।
ଟିକେଟ କାଟିନଥିବା
ବାଇଶି ବର୍ଷୀୟା ଜିନ୍ସଟା
ଲଙ୍ଗ-ପଙ୍ଗ ହେଉଥାଏ ଦୁଆର ପାଖରେ ।
ଟେଡି ବିୟରଟି
ଝରକାରେ ମୁହଁ ଗେଞ୍ଜି
ହାତ ହଲାଉଛି,
ଦୁଇଟି ବୟସ୍କ କୋଳକୁ
ମନେପକାଇ ।
ରେଳ ଛାଡ଼ିବାର ବେଳ !
ଜଣାନାହିଁ କଣ ତାର ସଂପର୍କ
ସେ ପଶିଗଲା ଆଖି ଆଉ
ଟାଉଁସିଆ ବାଳ ସହ,
ମେଲିଥିବା ଅଖା ଦେଖିଲେ
ଫୁଉ୍ କରି ଫିଙ୍ଗିଦିଏ
ଖାଲି ପାଣି ବୋତଲ କେତୁଟା
ଆଉ ଅଧାଖିଆ
ଆଳୁଚପ କିଛି ।
ରେଳ ଗଡିଯାଏ
ପେଟ ପୁରେନି ।।