ଝଡି ଯାଇଥିବା ଫୁଲର ପାଖୁଡ଼ା
ଝଡି ଯାଇଥିବା ଫୁଲର ପାଖୁଡ଼ା
ପ୍ରିୟ !
ମୁଁ ତ ଜଣେ ଅଭାଗିନୀ,
ଏକ ଝଡ଼ି ଯାଇଥିବା ଫୁଲର ପିଖୁଡ଼ା ଟିଏ ।
ଏକ ଅଲୋଡା ସନ୍ଧ୍ୟାରେ
ତୁମେ ଅଭିଯୋଗ ବାଢ଼ ।
ସାରାଜୀବନ,
ଗୋଟେ ମଉଳାର ଅପବାଦରେ
ଜୀଇଁବାକୁ ଅଛି ଜୀବନ ।
ତେବେ !
ତେବେ ତୁମେହିଁ ତ କହିଥିଲ ପ୍ରିୟ,
ଫୁଲଟିଏ ଜଡେଇ ଧରିଥିବା ଯାଏଁ
ବୃନ୍ତର ସେ ଆକର୍ଷଣରେ,
ଥାଅ ତୁମେ, ଥାଏ ପ୍ରେମ ।
ମୁଁ ମଧୁ ସଞ୍ଚେ,
ତୁମେ ଭଅଁର ହୋଇ ଶୋଷିନିଅ ।
ମୁଁ ନାଚି ଉଠେ,
ତୁମେ ପବନ ହୋଇ ବହିଯାଅ ।
ମୁଁ ରଙ୍ଗ ବୁଣେ,
ତୁମେ ପ୍ରଜାପତିଟେ ହୋଇଯାଅ ।
ଏବେତ ମୁଁ ବୃନ୍ତଚ୍ୟୁତ,
ଏକା ଏକା କେମିତି ବଞ୍ଚିବି !
ତୁମ ବିନା...ପ୍ରେମ ବିନା ।
କିନ୍ତୁ ପ୍ରିୟେ !
ଏଇତ ପ୍ରେମ ।
ତୁମେ କଣ ଅନୁଭବ କରୁନ
ବୃନ୍ତଠାରୁ ଏ ମାଟିରେ ଅଧିକ ଆକର୍ଷଣକୁ ।
ତୁମ ମଉଳା ଶରୀରକୁ
କେମିତି ଆବୋରି ଧରିଛି
ତା ଧୂସର ପ୍ରଶସ୍ତ ଛାତିରେ ।
ତା ପ୍ରତ୍ୟେକ କଣିକାରେ ଅଛି
ସମସ୍ତଙ୍କୁ ନିଜର କରିନେବାର
ଏକ ପ୍ରଚଣ୍ଡ ପାଗଳାମି ।
ଏଇତ ପ୍ରେମ ନା !
ଥରେ ସେହି ବିବର୍ଣ୍ଣତାକୁ
ଆଲିଙ୍ଗନ କରିନିଅ ନା...
ଦେଖିବ, ଲୀନ ହୋଇଯାଇଥିବା
ମୋର ସବୁ ଅବୟବ,
ପୁଣି ରଙ୍ଗୀନ୍ ହୋଇଉଠିବେ ।।