STORYMIRROR

Sanjay kumar Panda

Others

3  

Sanjay kumar Panda

Others

ସ୍ମୃତି ଯେବେ ଦୁଷ୍ଟ ହୁଏ

ସ୍ମୃତି ଯେବେ ଦୁଷ୍ଟ ହୁଏ

1 min
103



ତୁମେ ଯେବେ ମନେପଡ଼

ମୁଁ ଟପ୍ ଟାପ୍ ପାହୁଣ୍ଡ ପକେଇ 

ଉଠିଆସେ ଦୁଇମହଲାର ଛାତି ଉପରକୁ,


କେଉଁକାଳୁ ଖୁବ୍ ଯତ୍ନରେ

ସାଇତିଥିବା ତୁମ ସ୍ମୃତିର ପୋଥି ସବୁକୁ ଫିଟାଏ,

ହୃଦୟରୁ ଗୋଟିଗୋଟି କରି ବାହାର କରେ,

ଥିର୍ କରି ତଳେ ଥୋଇଦିଏ ।


ଆହା କି ମଧୁର ମହକ

ବୁଝିଲି...ତୁମ ରଜନୀଗନ୍ଧା ପରା ।


ଏଇମ...ଦେଖୁଛ !

ଏଥିରୁ କେହିବି ନିଜର ରଙ୍ଗ ହରେଇନାହାନ୍ତି,

ଆଜିବି ସବୁ ଜୀବନ୍ତ ସବୁ ତେଜିଆନ ।

କିଛି ନ ଜାଣିଲା ଭଳି

ଆକାଶକୁ ପିଠି କରି

ଶୋଇବାର ଛଳନା କରୁଛନ୍ତି ଯାହା ।


ରୁପା ଜରିଲଗା ଦେହଗୁଡାକ

ଭାରିଗୋଟେ ଚିକ୍ ଚିକ୍ କରୁଛନ୍ତି

ଜହ୍ନ ଆଲୁଅରୁ ପେଟେ ପିଇଦେଇ ।


ନାଇଁ ମ ବୋଧେ ଦାନ୍ତ ନିକୁଟୁଛନ୍ତି

ଦୁଷ୍ଟ ଗୁଡାକ ।


ଦେଖୁନ ପିଠି ଉପରେ ଏବେବି ସାଇତି ରଖିଛନ୍ତି

ଆମ ଦୁର୍ବଳ ମୂହୁର୍ତ୍ତର

ସେହି ଗୋଲାପୀ ଗୋଲାପୀ ବୋକ ଗୁଡିକୁ ।


କେତେ ଲାଞ୍ଚ ଦେଇଛ ଯେ ତାଙ୍କୁ ?

ମୋ ହୃଦୟରେ ରହି

ମଙ୍ଗଳ ସଦା ତୁମର ମନାସନ୍ତି ।


"ତୁମେ ମୋତେ ଭୁଲିଯାଅ " କହି

ଯେବେଠୁ ଛାଡ଼ିଗଲଣି ମୋତେ

ବିଶ୍ୱାସ କର !

ଏମିତି ଗୋଟିଏ ମୁହୂର୍ତ୍ତ ନାହିଁ

ମୁଁ ଦୂରେଇବାକୁ ଚେଷ୍ଟା କରିନି ଏମାନଙ୍କୁ

ହେଲେ ନଛୋଡ଼ବନ୍ଧା ।

ପିଛା ଛାଡୁନାହାନ୍ତି ।


ଛାଡ଼ ! ରୁହନ୍ତୁ ସିଏ ।

ସେମାନେ ଅଛନ୍ତି ବୋଲି

ମୁଁ ତ ବେଫିକର ଜୀଇଁପାରୁଛି ଜୀବନ,

ଖୁବ୍ ଗପି ଗପି ବିତେଇପାରୁଛି ସମୟ ।


ମୁଁ ଜାଣେ ।

ମୋର ପାଗଳାମି ଦେଖି

ହସି ହସି ଥକିଯାଉଥିବ ତୁମେ

ଅଫେରା ରାଇଜରେ ଥାଇ,

ଲୁଚି ଲୁଚି ମୋକଥା ଶୁଣୁଥିବ ।

କେଉଁ ଏକ ଛିନ୍ନ ବଉଦ ଫାଙ୍କରେ

ଅବା ରଙ୍ଗହୀନ ସେ ଜହ୍ନର ପଛରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍