ଦେହର ବୟସ
ଦେହର ବୟସ
ରକ୍ତତୀର୍ଥ_ଇରମ
ମନ ଭାରି ବଗୁଲିଆଟା,
ଅନାୟାସରେ ଡେଇଁ ପଡେ଼
ବୟସର ଅସରନ୍ତି ଯାଉଁଳି କବାଟ ମାନଙ୍କୁ ।
ଦେହ ପାରେନି,
ଦେହରୁ ଭାସିଆସେ
ଏକ ଅପରାହ୍ନର ବାସ୍ନା,
ସେ ଝୁଣ୍ଟିପଡେ଼ ବାରମ୍ବାର,
କେବେ ନିଜକୁ ସମର୍ପଣ କରେ
କାନ ଉପରକୁ ଋତୁଚକ୍ର ଭଳି
ବଦଳୁଥିବା କେଶର ରଙ୍ଗ ପାଖରେ ।
କେବେ ସେ ହାର୍-ମାନେ
ଆଣ୍ଠୁ ଗଣ୍ଠି ମାନଙ୍କର
ସଙ୍ଘବଦ୍ଧ ଅନଶନ ଆଗରେ ।
କେବେ ପୁଣି ବାଟ ଓଗାଳି ଛିଡ଼ା ହୁଅନ୍ତି;
ମେଞ୍ଚାଏ ଲୋଚା-କୋଚା ଚମଡା଼,
ଚଷମା ତଳ କଳାପଟାରେ
ଲିଭି ଆସୁଥିବା ଆଖି ଦୁଇଟି,
ବିନା ବତାସୀରେ
ମୁଣ୍ଡ ପିଟିହେଉଥିବା ଦାନ୍ତମାନେ,
ଅଧା କବାଟ କିଳି
ଛକି ଶୁଣୁଥିବା କାନମାନେ,
ଇନ୍ଦ୍ରଧନୁ ପରି
ବଙ୍କା ହୋଇ ଆସୁଥିବା ଅଣ୍ଟା,
ଏଇନେ ଏଇନେ ଥୋଇଥିବା
ଚକଟା କଞ୍ଚାମାଟିର ପେଣ୍ଡୁଳା
ଇଟାହୋଇ ଠିଆହୁଏ,
ଡହ ଡହ ନିଆଁର ଆଞ୍ଚରେ
ନିଜକୁ ସେକି, ଦେହକୁ ନାଲିକରେ ,
ଗୁଡ଼ିଆ ଦୋକାନରେ କାଚ ଫ୍ରେମ୍ ରେ ବନ୍ଧା ହୋଇଥିବା
ଥାକ ଥାକ ଜିଲାପି ଭଳି
ନିଜକୁ ସିମେଣ୍ଟ କାନ୍ଥର ପେଟଭିତରେ ସମାଧି ଦିଏ,
କିନ୍ତୁ ଜୀବନ୍ତ ରହିବାର ପଣ କରି ।
ଇଟା ବୟସକୁ ଚିହ୍ନେନି,
କି ମନ ବି ବୁଢ଼ା ହୁଏନି,
ଦେହ କିନ୍ତୁ ହଜିଯାଏ
ବୟସର ଅନ୍ଧଗଳିରେ ।