ଏକ ରାତ୍ରିର ସ୍ବପ୍ନ
ଏକ ରାତ୍ରିର ସ୍ବପ୍ନ
ସୌନ୍ଦର୍ଯ୍ୟଲୋଭୀ ତ ଦୁଇଟି ନୟନ ମୋହର,
ମନ ସାଥେ ମୁଁ ମିତ ବାନ୍ଧିଛି
ମାଟିରୁ-ଆକାଶ, ଆକାଶରୁ-ମାଟି ଭ୍ରମଣରେ
ଯାହା ଦେଖେ ତା ଛନ୍ଦିଛି ।
ଦେଖି ପାରୁଥାଏ ଶୂନ୍ୟ ଆକାଶରେ ତାରା
ମାନଙ୍କର ଲୁଚକାଳି ଖେଳ
ସାଗରର ସ୍ଵର୍ଣ୍ଣାଭ ବେଳାଭୂମି ଓ ତରଙ୍ଗାୟିତ
ଜଳରାଶି, ଯାହା ନୀଳ ।
ଦିନକର ଆଖି ଆଗରେ ଯାହା ସବୁ ଘଟିଗଲା
ଲିପିବଦ୍ଧ ଥିଲା ମନରେ
ମୁଁ ତ ଏକ ସାମାଜିକ ପ୍ରାଣୀ, ସ୍ୱପ୍ନରେ ତା ପ୍ରତିଛବି
ଫୁଟିଲା ମନ ମଧ୍ୟରେ ।
ହୋଇ ଉଠିଲି ଅନୁସନ୍ଧିଛୁ ଜାଣିବାକୁ ସମାଜର
ବିବିଧତାରେ ଏକତାକୁ
ଆମର ସାମାଜିକ ସବୁ ବିଧି ବ୍ୟବସ୍ଥା, ସଂସ୍କୃତି
ଐତିହ୍ୟ ଓ ଚାଲିଚଳନ ।
ମନରେ ଖୋଦିତ ଚିତ୍ର ମାନ, ହୃଦୟରେ ଭରି
ଦେଇଥିଲେ କୋହ ସବୁକୁ
ମନ ମଧ୍ୟେ ବିଦ୍ରୋହ ରୂପକ ଅଗ୍ନିଶିଖାଟି ଜଳି
ଉଠିଲା ଦେଖି ସେଗୁଡିକୁ ।
ତେଣୁ ଓଡିଆ ଓ ଇଂରାଜୀରେ କବିତା ଓ ପ୍ରବନ୍ଧ
ରଚନାରେ ରୁଚି ରଖିଲି
ବିଭିନ୍ନ କର୍ମ ଜଞ୍ଜାଳରେ ବ୍ୟସ୍ତ ରହି ମଧ୍ୟ କିଛି
ଲେଖିବାକୁ ଶପଥ ନେଲି ।
ମନ ମଧ୍ୟେ ଦୁଃଖ ନାହିଁ ପାଉ ନପାଉ ପ୍ରକାଶ
କୌଣସି କବିତା ସଂକଳନ
ସମ୍ବାଦପତ୍ର, ପତ୍ର ପତ୍ରିକାରେ ପ୍ରକାଶ ପାଇବାରେ
ସତରେ ନାହିଁ ମୋର ଧ୍ୟାନ ।
ଯଦି କୌଣସି ମୋର ଦୃଶ୍ୟମାନ ବିବେକ ଅବା
ସଂସ୍କୃତି ଅନୁରାଗୀ ହୋଇଥାଏ
ସେ ଘଟଣାଟିକୁ ମୋର ମନ ଆନନ୍ଦରେ ଓ ଖୁବ
ସନ୍ତୋଷରେ ଆଦରି ତ ନିଏ ।