STORYMIRROR

Pranati Panda

Abstract Classics

4  

Pranati Panda

Abstract Classics

ଏକ ବ୍ୟର୍ଥ ରାତ୍ରିର ଅଭିଳାଷା

ଏକ ବ୍ୟର୍ଥ ରାତ୍ରିର ଅଭିଳାଷା

1 min
305


ଭ୍ରାନ୍ତ ଭ୍ରମରଟା ଉଡି ଉଡି ବୁଲେ

ସ୍ୱୀକାରୋକ୍ତି ଆଜି ନେବ କାହାର ?

ଏ'ଫୁଲରୁ ଉଡ଼ି ସେ' ଫୁଲେ ବସଇ

ଚୟନ କାରଣେ ସାଥି ନିଜର ।


ଶୁଣିଥିଲା ଦିନେ ଶେଫାଳୀ କଳିକା

ସତୀ ଶିରୋମଣି ନାମ ତାହାର ,

ଜୀବନ ସଙ୍ଗିନୀ ଚୟନ କାରଣେ

ଚତୁଃପାର୍ଶ୍ଵେ ତା'ର ଉଡ଼େ ଭ୍ରମର ।


ଅତି ଗୋପନରେ ଲୋଡ଼ି ତା'ର ମତ

ଜାଣିଲା ରହିଛି ତା'ର ସମ୍ମତ ,

ଜଣାଇ ସଭିଙ୍କୁ ଶୁଭ ସମାଚାର

ବର ବେଶ ପାଇଁ ହେଲା ସଜ୍ଜିତ ।


ନିମନ୍ତ୍ରଣ ଦେଲା ବରଯାତ୍ରୀ ପାଇଁ

ଲେଖିଲା ଚିଟାଉ ସୁଗନ୍ଧ ପତ୍ରେ ,

ଲାଜେଇ ପ୍ରିୟାର ହାତ ଧରିବାକୁ

ପ୍ରତିକ୍ଷୀତ ପ୍ରିୟ ଭ୍ରମର ରାତ୍ରେ ।


ହଳଦୀ ବସନ୍ତ ସୁଦୂରୁ ଆସିଲା

ସଜାଇ ତନୁକୁ ପୀତ ବସନେ ,

ସୁମଧୁର ସ୍ଵନେ କୋଇଲି ଗାଇଲା

ମନ୍ତ୍ରପାଠ କରି ଗହନ ବନେ ।


କଜଳପାତିଆ ନାପିତ ସାଜିଲା

ସକାଳ ଗାଧୁଆ ସଜକୁ ନେଇ ,

ଭ୍ରମର-ଶେଫାଳୀ ବିବାହ ବାସରେ

ଦଣ୍ଡେ ନୁହେଁ ଥୟ ଆଜି'ତ ସେହି ।


ବିହଙ୍ଗ କାକଳି ହୁଳହୁଳି ଶବ୍ଦେ

ଉଛୁଳି ଉଠଇ ଭ୍ରମର ମନ,

ସଞ୍ଜୁଆ ତାରା ଟି ସଞ୍ଜ ଦୀପ ଜାଳେ

ଉତ୍ତ୍ଫୁଲ୍ଲିତ ପ୍ରିୟ ପିଆସୀ ପ୍ରାଣ ।


ରୋଷଣୀ ଆଣିଛି ଖଦ୍ୟୋତିକା ଆଜି

କ୍ଷୀଣ ଦୀପିକାର ଆଲୋକ ନେଇ ,

କୁନି କୁନି ତାରା ଆକାଶେ ଫୁଟିଛି

ସତେ ଅବା ଲିଚୁ ମାଳାଟି ସେହି।


ପୂର୍ଣ୍ଣିମାର ଚାନ୍ଦ ଉଇଁଛି ଗଗନେ

ବର-ବଧୂ ଶିରେ ଦେବ ଆଶିଷ ,

ରୂପେଲି ଜୋଛନା ଧରଣୀ ବକ୍ଷରେ

ବୁଣିଛି ଅଚିରେ ହୋଇ ହରଷ ।


ପ୍ରତି ପ୍ରହରରେ ପ୍ରିୟ ପ୍ରତୀକ୍ଷାରେ

ଲାଜେଇ ଶେଫାଳୀ ଦିଶେ ସୁନ୍ଦର ,

ନୀରବ, ନିଶୀଥ ବକ୍ଷକୁ ବିଦାରି

ଝିଇଁ, ଝିଇଁ କରେ ଝିଙ୍କାରି ସ୍ୱର ।


ଭ୍ରମେ ଭ୍ରମି ହୋଇ ଭ୍ରମର ପ୍ରବର

ଭ୍ରମଇ ଭ୍ରମରେ ଫୁଲରୁ ଫଳ,

ଜୀବନ ସଙ୍ଗିନୀ ଚୟନ କାରଣ

ହେଜିଲା ମନରୁ ହୋଇ ଚଞ୍ଚଳ।


ମୁଖେ ନାହିଁ ହସ ସଭିଏଁ ବିମର୍ଷ

ପାହିଲା ରଜନୀ ପୂର୍ବ ଆକାଶେ,

କୁଆଁ ତାରା ଉଠି ଉଜ୍ଜଳ କରିଛି

ପ୍ରତୀକ୍ଷା ରଜନୀ ପାହିଲା ଶେଷେ ।


ସବୁଜ ଘାସର ଗାଲିଚା ଉପରେ

ପ୍ରିୟର ପ୍ରଥମ ପରଶ ପାଇଁ ,

ଶେଫାଳୀ ସୁନ୍ଦରୀ ଶେଯେ ଝରିଗଲା

ବଧୂ ହେବା ତା'ର ଭାଗ୍ୟରେ କାହିଁ ?


ଗୁଞ୍ଜରଣ କରି ଭ୍ରମୁଛି ଭ୍ରମର

ଆକାଶେ ଦିଶଇ କଅଁଳ ସୂର୍ଯ୍ୟ,

ଶିଶିରେ ପତିତ ଝରା ଶେଫାଳୀର

ବିତିଲା ରଜନୀ ଭାଙ୍ଗିଛି ଧୈର୍ଯ୍ୟ ।


ସତୀ, ସ୍ୱାଧ୍ବୀ ବୋଲି ରହିଛି ସୁନାମ

ସୂର୍ଯ୍ୟଙ୍କ କିରଣ ନପାରେ ସହି ,

ପ୍ରିୟତମା ସ୍ପର୍ଶ ପାଇବା ଆଶାରେ

ଭ୍ରମରେ ଭ୍ରମର ଭ୍ରମୁଛି ରହି ।।

       



Rate this content
Log in

Similar oriya poem from Abstract